ଭବାନୀପାଟଣା : ଉପାନ୍ତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର । ରାସ୍ତା ନ ଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକର ମନସ୍ତରା ଗାଁରେ ।
ସୂଚନା ଅନୁସାରେ, ମନସ୍ତରା ଗାଁର ଚୈତନ୍ୟ ମାଝୀଙ୍କ ଝିଅ ସସ୍ମିତା ମାଝୀ । ଆଜି (ରବିବାର) ସଂନ୍ଧ୍ୟା ସମୟରେ ଗଛରୁ ପଡି ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ରାସ୍ତା ଖରାପ ଥିବାରୁ ଠିକଣାସ୍ଥାନରେ ପହଞ୍ଚି ପାରି ନ ଥିଲା ଆମ୍ବୁଲାନ୍ସ ।
ଫଳରେ ଗ୍ରାମବାସୀ ତାଙ୍କୁ ୧୦ କିଲୋମିଟର ଖଟିଆରେ ବୋହି ବେଡାଗାଁକୁ ନେଇଥିଲେ । ସେଠାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କଲାପରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀକୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ