ଭବାନୀପାଟଣା: କଳାହାଣ୍ଡି ମହାରାଜ କୌଟିଲ୍ୟାଙ୍କ ଇନ୍ଦ୍ରବନର ଭୂଖଣ୍ଡ । କଳା, ଭାସ୍କର୍ଯ୍ୟ, ଦେବାଦେବୀ ପୀଠ ଏବଂ ପ୍ରାକୃତିକ ଶୋଭାରାଜି ମଣ୍ଡିତା ରାଜ୍ୟର ଅନ୍ୟତମ ଜିଲ୍ଲା ଭାବରେ ପ୍ରସିଦ୍ଧ କଳାହାଣ୍ଡି । ଆସନ୍ତୁ ଜାଣିବା ଶକ୍ତି ଓ ଶାକ୍ତ ପରମ୍ପରାର ମିଳନ ସ୍ଥଳୀ ଏବଂ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ ସ୍ଥଳୀ ଯୋଗମାୟା ପୀଠ ଓ ଆଦ୍ୟପୀଠ ଗୁମ୍ଫା ବିଷୟରେ ।
କଳାହାଣ୍ଡି ଜିଲ୍ଲା ପୂର୍ବଘାଟ ପର୍ବତମାଳାର ଐତିହାସିକ ବିରିପୁଡା ପାହାଡ଼ ପାଦ ଦେଶରେ ରହିଛି ପ୍ରସିଦ୍ଧ ଯୋଗମାୟା ପୀଠ । ପୂର୍ବପୁରୁଷଙ୍କ କହିବା ଅନୁଯାୟୀ ଏଠାରେ ଉଭା ହୋଇଥିଲେ ଦେବୀ ଯୋଗମାୟା ଓ ପାତାଳେଶ୍ବର ବାବା । ପାହାଡ଼ ପର୍ବତ ଘେରା ଘଞ୍ଚ ବନାନୀ ମଧ୍ୟରେ ଥିବା ଏହି ଦୁଇ ମନ୍ଦିରଠୁ କିଛି ଦୂରରେ ରହିଛି ଦେବ ଗୁମ୍ଫା । ଏହାରି ଭିତରେ ରହିଛି ବିରାଟ ପ୍ରସ୍ତର ଖଣ୍ଡରେ ପ୍ରଘଟ ହୋଇଥିବା ବାବା ଧବଳେଶ୍ବର । ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରି ଏଠାରେ ସମ୍ପନ୍ନ ହୁଏ ଶିବ ଓ ଶାକ୍ତ ପୂଜାର୍ଚ୍ଚନା । ତେଣୁ, ଅନନ୍ୟ ଦେବୀ ପରମ୍ପରା ଓ ପ୍ରକୃତି ରାଣୀର କୁହୁକରେ ଆକୃଷ୍ଟ ହୋଇ ଏଠାକୁ ଆସିଥା’ନ୍ତି ଶହଶହ ପର୍ଯ୍ୟଟକ ।
ପର୍ଯ୍ୟଟନର ପ୍ରକୃଷ୍ଠ ସ୍ଥାନ ଯୋଗମାୟା ପୀଠ ଓ ଆଦ୍ୟପୀଠ ଗୁମ୍ଫା କଳାହାଣ୍ଡି ଜିଲ୍ଲା ସଦର ମହକୁମାର ଭବାନୀପାଟଣା ଠାରୁ ଜାତୀୟ ରାଜପଥରେ ୩୫ କିଲୋମିଟର ଯିବା ପରେ ପଡେ ଗୁର୍ଜିମୁଣ୍ଡା ଗାଁ । ଗୁର୍ଜିମୁଣ୍ଡା ଗାଁ ବିରିପୁଡା ପାହାଡ଼ ନିକଟରେ ରହିଛି ଯୋଗମାୟା ପୀଠ । ଏଠାରୁ ମାତ୍ର ୧୩ କିଲୋମିଟର ଦୂରରେ ରହିଛି କେସିଙ୍ଗା ରେଳ ଷ୍ଟେସନ । ତେଣୁ ରେଳ ଯୋଗ ଆସୁଥିବା ଯାତ୍ରୀ ଏଠାକୁ ଗାଡି ଭଡା କରି ଆସିବା ଖୁବ ସହଜ । ଯୋଗମାୟାକୁ ଘେରି ରହିଥିବା ବନାନୀକୁ ଅଧିକ ଆକର୍ଷଣୀୟ ରୂପ ଦେଇଛନ୍ତି କିଛି ସ୍ଥାନୀୟ ଉଦ୍ୟୋକ୍ତା । ତେଣୁ, ଏଠାକୁ ପିକନିକ ପାଇଁ ଆସୁଥିବା ଛୋଟ ଛୋଟ ପିଲାମାନେ ଖେଳକୁଦ ଓ ପାର୍କରେ ବୁଲିବାର ଭରପୁର ମଜା ଉଠାଇଥା’ନ୍ତି । ପିକନିକ ସମୟରେ ଏଠାରେ ଭୋଜି କରିବାର ସୁଯୋଗ ହାତଛଡା କରିନଥାନ୍ତି ପର୍ଯଟକ ।ବର୍ଷ ବ୍ୟାପି ଯୋଗମାୟା ପୀଠରେ ଦିନବେଳା ଅନ୍ନଭୋଗ ଲାଗି ହୋଇଥାଏ । ତେଣୁ ଯାତ୍ରୀ, ପର୍ଯ୍ୟଟକ, ଶ୍ରଦ୍ଧାଳୁ କେବେ ଉପାସ ରୁହନ୍ତି ନାହିଁ ବୋଲି କହନ୍ତି ସ୍ଥାନୀୟ ବାସିନ୍ଦା । ମନରୋମ ପରିବେଶ ଓ ସମସ୍ତ ଭିତ୍ତିଭୂମି ଥିବାରୁ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟେ । ହେଲେ ଅଣଓସାରିଆ ରାସ୍ତା ସାଙ୍ଗକୁ ପାନୀୟ ଜଳ ଓ ରେଷ୍ଟସେଡ ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ପର୍ଯ୍ୟଟକ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ