ଭବାନୀପାଟଣା: ଗାଁକୁ ଚାଲ ଗାଁକୁ ଗଢ଼ ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଆଜି ବି ଉପାନ୍ତ ଅଞ୍ଚଳରେ ପହଞ୍ଚିପାରି ନାହିଁ ସରକାରଙ୍କ ବିକାଶ ରଥ । ଏମିତି ବି କିଛି ଗାଁ ରହିଛି ଯେଉଁଠି ସାଇକେଲ କିମ୍ବା ବାଇକ ଗଡିବା ତ ଦୂରର କଥା ଚାଲିକି ଯିବାବି ମୁସ୍କିଲ । ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡୁଛି ଦୁଇଟି ପାହାଡ଼ । ରୋଗୀ ହେଉ ଅବା ସାଧାରଣ ଲୋକ ସମସ୍ତେ ଏମିତି ଖାଲଖମା ପାରି ହୋଇ ଯିବାଆସିବା କରନ୍ତି । ଯେଉଁଠି ରାସ୍ତାଘାଟ ପାଇଁ ଅବ୍ୟବସ୍ଥା ସେଠାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଅବସ୍ଥା ବି ନକହିବା ଭଲ । ଏପରି ଏକ ସ୍ଥାନ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବେଡାଗାଁ ପଞ୍ଚାୟତରେ ଅବସ୍ଥିତ ଇସନଲା ଗାଁ ।
ଏହି ପାହାଡିଆ ଗାଁକୁ ଯିବାକୁ ରାସ୍ତା ନାହିଁ । ଘଞ୍ଚ ଜଙ୍ଗଲ ମଧ୍ୟରେ ଖାଲଖମା ଘାଟି ରାସ୍ତା ଦେଇ ୨ଟି ନାଳ ଡେଇଁଗଲେ ଇସନଲା ଗାଁ ପଡେ । ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ୧୦ କିଲୋମିଟର ଖାଲଖମା ରାସ୍ତା ସହ ଘାଟି ପାର ହେବାକୁ ହୁଏ । ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ କରି ସଂଯୋଗ କରୁଥିବା ସରକାର କହୁଥିବା ବେଳେ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ନା ଏଠାରେ ଅଛି ପକ୍କା ରାସ୍ତା ନା ନାଳ ଉପରେ ବ୍ରିଜ ଅଛି ।
କେବଳ ଗମନାଗମନ ନୁହେଁ, ମୁନ୍ଦାଏ ପାଣି ପାଇଁ ମଧ୍ୟ ଇସନଲାବାସୀଙ୍କୁ କସରତ କରିବାକୁ ପଡେ । ଗାଁର ମହିଳାମାନେ ପ୍ରତ୍ୟେକ ଦିନ ହାତରେ ଗରା ଧରି ଗାଁରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ପଥର କଡରୁ ବାହାରୁ ଥିବା ଗୋଳିଆ ପାଣି ସଂଗ୍ରହ କରିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳେ । ଏଭଳି ଦୂଷିତ ପାଣି ପିଇ ଅନେକ ଲୋକ ରୋଗାଗ୍ରସ୍ତ ହେଉଥିବା ବେଳେ ବାରମ୍ବାର ସମସ୍ୟା ସମ୍ପର୍କରେ ଅଭିଯୋଗ କଲାପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯେଉଁଠି ରାସ୍ତା ଓ ପାନୀୟଜଳର ବିକଳ ଚିତ୍ର ଦେଖିବାକୁ ମିଳୁଛି ସେଠି ଶିକ୍ଷାର କଥା ନକହିବା ଭଲ । ଏଠାରେ ସ୍କୁଲ ଘରଟିଏ ମଧ୍ୟ ନାହିଁ ଯେଉଁ କାରଣରୁ ଗାଁର ଶିଶୁ ପ୍ରାଥମିକ ଶିକ୍ଷାରୁ ମଧ୍ୟ ବଞ୍ଚିତ । ଗାଁକୁ ରାସ୍ତା ନଥିବା ଯୋଗୁଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବହୁ ସମସ୍ୟା ହୁଏ । କାହାର ଦେହ ଖରାପ ହେଲେ କିମ୍ବା ପ୍ରସୂତି ମହିଳାଙ୍କୁ ଚିକିତ୍ସା ପାଇଁ ଖଟରେ ବୋହିବାକୁ ପଡିଥାଏ ।
ବ୍ଲକ ମୁଖ୍ୟାଳୟ ମାତ୍ର ୧୫ କିଲୋମିଟର ଦୂରରେ ଇସନଲା ଗାଁ । ଏଠାରେ ୧୫୦ରୁ ଅଧିକ ପରିବାରର ପ୍ରାୟ ୫୦୦ ଲୋକ ବସବାସ କରନ୍ତି । ନିରୀହ ସରଳ ଆଦିବାସୀଙ୍କ ପାଇଁ ବିକାଶ ସାତ ସପନ । ଆଜି ପର୍ଯ୍ୟନ୍ତ ଗାଁରେ ସରକରୀ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ପାଦ ପଡିନାହିଁ । ଗାଁକୁ ଏକ ପକ୍କା ରାସ୍ତା ଓ ନାଳ ଉପରେ ପୋଲଟିଏ ପାଇଁ ଅନେକ ଥର ସରପଞ୍ଚଠୁ ଆରମ୍ଭ କରି ନେତା ସରକାରୀ ବାବୁ ସମସ୍ତଙ୍କୁ ଗୁହାରି ଜଣାଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁର ଅବସ୍ଥା ସମାନ । ନିତି ଦିନିଆ ସଉଦା ହେଉ ଅବା ପଞ୍ଚାୟତରୁ ରାସନ ଆଣିବା ପାଇଁ ମାଇଲମାଇଲ ବାଟ ଚାଲିକି ଯିବାକୁ ହୁଏ ।
ଇଟିଭି ଭାରତ, କଳାହାଣ୍ଡି