ଭବାନୀପାଟଣା: ଅଳିଆ ଗଦାରେ ପଡିଛି ସରକାରୀ ଔଷଧ । କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ସହ ମାଗଣା ଔଷଧ ଯୋଗାଇ ଦେବା ପାଇଁ ନିରାମୟ ଯୋଜନା କରିଛନ୍ତି । ଗୋଟିଏ ପଟେ ସାଧାରଣ ଲୋକେ ଟଙ୍କା ଦେଇ ଔଷଧ ଦୋକାନରୁ ଔଷଧ କିଣୁଥିବାବେଳେ, ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ଫଳରେ ଗଦା ଗଦା ଔଷଧ ଅଳିଆଗଦାରେ ଫିଙ୍ଗାଯାଉଛି ।
ସୂଚନା ଅନୁଯାୟୀ, ଲାଞ୍ଜିଗଡ ବ୍ଲକର ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକେ ଏହି ଡାକ୍ତରଖାନା ଉପରେ ଭରଷା କରିଥାନ୍ତି । କିନ୍ତୁ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିବାରୁ ପ୍ୟାକେଟ ପ୍ୟାକେଟ ଔଷଧ ଅଳିଆଗଦାରେ ଫିଙ୍ଗାଯାଉଛି । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ଔଷଧ ନୁହେଁ ବିଭିନ୍ନ ରୋଗ ପାଇଁ ଆସୁଥିବା ବିଭିନ୍ନ କମ୍ପାନୀର ନାମିଦାମି ଔଷଧ ଅଳିଆଗଦାରେ ପଡିରହିଛି । ଏନେଇ ଔଷଧ ପାଇପାରୁ ନ ଥିବାରୁ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।
ତେବେ ସେପଟେ ଔଷଧ ଫିଙ୍ଗା ବିଷୟ ଜାଣି ନ ଥିବାବେଳେ କିଛି ମାତ୍ର ଔଷଧ ଫିଙ୍ଗା ଯାଇଛି ବୋଲି କହିଛନ୍ତି ଡାକ୍ତରଖାନା ଅଧିକାରୀ । ଏନେଇ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେଡିକାଲ ଅଫିସର । ତେବେ ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ନିରପେକ୍ଷ ତଦନ୍ତ ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଏନେଇ ବିଶ୍ଵନାଥପୁରର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ନିହାର ରଞ୍ଜନ ସାହୁ କହିଛନ୍ତି, "ଔଷଧ ଅବଧି ସରିଯାଉଥିବାରୁ ଗୋଟିଏ ଯାଗାରେ ଏହି ମେଡିସିନ ରଖାଯାଏ । କିନ୍ତୁ ଏଥିସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । "
ଇଟିଭି ଭାରତ, କଳାହାଣ୍ଡି