ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ବାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 5T ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହିସବୁ ଭିତ୍ତିଭୂମି କାମ ଠିକ ସମୟରେ ଶେଷ ହେବ । ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ।
ଏହାସହିତ ମୁଖ୍ୟମନ୍ତ୍ରୀ ୩୩.୫୮ କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପଶ୍ଚିମ ଓଡିଶାର ବିକାଶ ପାଇଁ ସେ ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇଆସିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ବିକାଶରେ ପଶ୍ଚିମ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । କୃଷି, ଶିଳ୍ପ, ଖଣି, ଶିକ୍ଷା ଏବଂ କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡିଶା । ପର୍ଯ୍ୟଟନର ବିକାଶ ପାଇଁ ମା' ସମଲେଶ୍ବରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି । ଏହାସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ ସବୁ କାମ ତଦାରଖ କରାଯାଉଛି ।
ଏହାମଧ୍ୟ ପଢନ୍ତୁ: ଭୁବନେଶ୍ବର ପଳାଶୁଣିରେ ହେବ ଫୁଟ୍ ଓଭରବ୍ରିଜ: ଅପରାଜିତା ଷଡ଼ଙ୍ଗୀ
ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ, ବରଗଡରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଦେବଗଡରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ସେ ଉଚ୍ଚପ୍ରଶଂସା କରିଥିଲେ । ୫-ଟି ଉପକ୍ରମରେ ସବୁ କାର୍ଯ୍ୟକ୍ରମ ଠିକ ସମୟରେ ଆରମ୍ଭ ହୋଇ ଶେଷ ହେବ । ଏହା ସହିତ ପଶ୍ଚିମ ଓଡିଶାର ବିକାଶ ତ୍ବରାନ୍ବିତ ହୋଇପାରୁଛି ବୋଲି ସେମାନେ ମତ ଦେଇଥିଲେ ।
ଉଦ୍ଘାଟିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗୀର ଗଡିଆଜୋର ସେତୁ, ଟିଟିଲାଗଡ ଟାଉନ ହଲ, ବରଗଡ ଇକୋ ଟୁରିଜିମ, ଭିତ୍ତିଭୂମି, ଦେବଗଡ କଲେଜର ନୂଆ ଅଡିଟୋରିଅମ, କଳାହାଣ୍ଡି ବ୍ରଜମୋହନ ହାଇସ୍କୁଲର ନୂଆ ହଷ୍ଟେଲ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନୂଆ ଅଡିଟୋରିଅମ ଓ କୁଚିଣ୍ଡା କଲେଜର ଅଡିଟୋରିଅମ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ବରଗଡ ଜନ୍ଦୋଲ ଗାଁର କମ୍ୟୁନିଟି ହଲ, ବରୋମୁଣ୍ଡା କଳାଗ୍ରାମ, କଟାବାହାଲ ପର୍ଯ୍ୟଟନ କେନ୍ଦ୍ର ଏବଂ କଳାହାଣ୍ଡିର ବିଭିନ୍ନ ଜଳାଶୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର କେସିଆବାହାଲ ଠାରେ ନୂତନ ବହୁମୁଖୀ ହଲର ନିର୍ମାଣ କାମ ରହିଛି ।
ଇଟିଭି ଭାରତ, କଳାହାଣ୍ଡି ଓ ଭୁବନେଶ୍ବର