ଭବାନୀପାଟଣା: ପୁଣି ନିଜ ସ୍ଥିତି ଜାହିର କଲେ ମାଓ ସଂଗଠନ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼ ଜଲେଜ ଗେଟ ସିକେରକୁପା ଛକ ଓ କଦମଗୁଡା ସ୍କୁଲ କାନ୍ଥରେ ମାଓ ପୋଷ୍ଟର ଲଗାଇଛି ଲାଲବାହିନୀ । ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବା ନେଇ ପୋଷ୍ଟର ମାରି ଅନେକ ଦିନର ନୀରବତା ପରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ।
ସୂଚନାଅନୁଯାୟୀ, ବାଲାପଦର ଗାଁର ପିତାମ୍ବର ମାଝୀ ମାଓବାଦୀଙ୍କ ସହିତ ସମ୍ପର୍କ ଥିବା କଥା ଉଠିଥିଲା । ନର୍ଲା, ମଦନପୁର ରାମପୁର, ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ଠିକାଦାରମାନଙ୍କଠୁ ୧୦ ଲକ୍ଷ ଟଙ୍କା ମାଓବାଦୀଙ୍କ ନାଁରେ ଆଦାୟ କରିଥିବା ମଧ୍ୟ କୁହାଯାଉଥିଲା । ମାଓବାଦୀ ସଂଗଠନଙ୍କୁ ପିତାମ୍ବର ମାଝୀ ବଦନାମ କରୁଥିବାରୁ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।
ଲାଗିଥିବା ପୋଷ୍ଟର ବଂଶଧାରା ଘୁମୁସର ନାଗାବଳି ଡିଭିଜନାଲ କମିଟି ମାଓବାଦୀ ପକ୍ଷରୁ ଜାରି କରାଯାଇଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟର ସତ୍ୟତାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଇଟିଭି ଭାରତ, କଳାହାଣ୍ଡି