ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୨୫ ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟରେ ୪୦ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ମିଳିଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ କ୍ବିଣ୍ଟାଲ ଧାନ ସଂଗ୍ରହ କରିବାରେ ସଫଳ ହୋଇଛି ଜିଲ୍ଲା ଯୋଗାଣ ବିଭାଗ । ହେଲେ ଗତ ଦୁଇ ଦିନ ହେଲା ମଣ୍ଡିରେ କାର୍ଯ୍ୟରତ ଶ୍ରମିକ ଆନ୍ଦୋଳନରେ ବସିଥିବାରୁ ଅଚଳ ପଡିଛି ଜିଲ୍ଲାର ସମସ୍ତ ଧାନ ମଣ୍ଡି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଅଭିଯୋଗ ଅନୁଯାୟୀ ମଣ୍ଡିରେ କାର୍ଯ୍ୟରତ ଶ୍ରମିକମାନେ ରାଜ୍ୟ ସରକାରଙ୍କ ଠାରୁ ପୂର୍ବରୁ ଧାନ କ୍ବିଣ୍ଟାଲ ପିଛା ୧୧ ଟଙ୍କା ୧୯ ପଇସା ପାଇଁ ଆସୁଥିଲେ । ହେଲେ ଗତ କିଛିଦିନ ହେଲା ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କ ମଜୁରୀ ଧାନ କ୍ବିଣ୍ଟାଲ ପିଛା ୮ ଟଙ୍କା ୪୭ ପଇସା କରିଦିଆଯାଇଛି । ଯାହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ସରକାର ଶ୍ରମିକମାନଙ୍କୁ ସେମାନଙ୍କ ହକ୍ ଫେରାଇ ଦିଅନ୍ତୁ ବୋଲି ଦାବି କରି ଗତ ୩ ଦିନ ହେଲା ଜିଲ୍ଲାର ୭୪ଟି ପ୍ୟାକ୍ସ, ୧୭୫ଟି ଧାନ ମଣ୍ଡିରେ କାର୍ଯ୍ୟବନ୍ଦ କରିବା ସହ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଥିବାବେଳେ ଦୁଇ ଦିନ ଧରି ମଣ୍ଡି ଅଚଳ ହୋଇଛି । ଫଳରେ ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ ଧାନ ଶୀତ କାକରରେ ପଡି ରହିଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି ।
ଇଟିଭି ଭାରତ, କଳାହାଣ୍ଡି