ଭବାନୀପାଟଣା: ବାପା ଝିଅର ସମ୍ପର୍କ ପୌରାଣିକ କଥା ବସ୍ତୁଠାରୁ ଆରମ୍ଭ କରି ବର୍ତ୍ତମାନର ଯୁଗରେ ସବୁଠାରୁ ବିଶ୍ବସ୍ତ ଓ ନିସ୍ବାର୍ଥପର ସମ୍ପର୍କ ବୋଲି ବିବେଚିତ କରାଯାଏ । ହେଲେ ସେହି ସମ୍ପର୍କରେ ଲାଗିଛି କଳଙ୍କ । କ୍ଷଣିକ ଶାରୀରିକ ସୁଖ ପାଇଁ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିବା ପାଇଁ ପଛାଇଲା ନାହିଁ ଅଭିଯୁକ୍ତ ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ନିଜ ୧୨ବର୍ଷର ଝିଅକୁ ଜନ୍ମ କଲା ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ନିଜ ଝିଅକୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଜେଲ ଯିବାକୁ ପଡିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ପୋଲିସର କହିବାନୁସାରେ ଜିଲ୍ଲାର ଲାଞ୍ଜିଗଡ଼ ଥାନା ଅଞ୍ଚଳର ରମେଶ ହରିଜନ ଗତ ୫ ମାସ ତଳେ ନିଜ ସ୍ତ୍ରୀ ଓ ଝିଅକୁ ନେଇ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲା । ସେଠାରେ ପରିବାର ଏକାଠି ରହି ସ୍ବାମୀ ସ୍ତ୍ରୀ କାମ କରୁଥିଲେ। ନାବାଳିକା ଝିଅଟି ଘରେ ରହି ରୋଷେଇ କରି କାମରୁ ବାପା ମା' ଫେରିବା ପରେ ଉଭୟଙ୍କୁ ଖାଇବାକୁ ଦେଉଥିଲେ ।
ଏମିତି ପ୍ରାୟ ୧ ମାସ ବିତିଯିବା ପରେ ସମ୍ପୃକ୍ତ ବାପା ଜଣକ ନିଜ ୧୨ ବର୍ଷର ନାବାଳିକା ଝିଅକୁ ବଳପୂର୍ବକ ବାରମ୍ବାର ଦୁଷ୍କର୍ମ କରିବା ଆରମ୍ଭ କରିଦେଇଥିଲା । ଝିଅ ବାପାକୁ ଡରି ମା'କୁ କିଛି ନ କହି ଚୁପଚାପ ରହୁଥିଲା । ଏମିତି କିଛି ଦିନ ନିଜ ବାପା ଦ୍ବାରା ଯୌନ ଶୋଷଣର ଶିକାର ହୋଇ ଆସିବା ପରେ ଝିଅକୁ ଅଧିକ ସମୟ ଚୁପଚାପ ଦେଖି ମା'କୁ ସନ୍ଦେହ ହୋଇଥିଲା । ପରେ ଏ ସମ୍ପର୍କରେ ମା' ଜାଣିବା ପରେ ଝିଅକୁ ନେଇ ନିଜ ଘରକୁ ଚାଲି ଆସିଥିଲେ । ଏହାପରେ ମଧ୍ୟ ଚେତିନଥିଲା ପିସାଚରୂପୀ ବାପା । ଅଭିଯୁକ୍ତ ଜଣକ ମଧ୍ୟ କିଛି ଦିନ ପରେ ଗାଁକୁ ଫେରି ଆସି ପୁଣି ଝିଅକୁ ନିଜ ଘରେ ଦୁଷ୍କର୍ମ କରିଥିଲା ।
ଏହା ବି ପଢନ୍ତୁ- ଫଟୋରୁ ବର୍ବରତା: ପ୍ରେମୀଯୁଗଳଙ୍କ ବ୍ୟକ୍ତିଗତ ଫଟୋ ଉଠାଇଲେ ବୃଦ୍ଧ, ପିଟି ପିଟି ମାରିଦେଲେ
ଶେଷରେ ସହିବାର ସୀମା ଟପିଯିବା ପରେ ପୀଡ଼ିତା ନାବାଳିକା ଝିଅ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ କେସ ନଂ ୧୪ /୦୨.୦୩.୨୩ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ବରେ ପୋଲିସ ଯାଇ ଅଭିଯୁକ୍ତ ବାପା ରମେଶକୁ ଗିରଫ କରିଥିଲା । ଏନେଇ ପୀଡ଼ିତାଙ୍କ ଡାକ୍ତରୀ ମାଇନା ଭବାନୀପାଟଣାରେ କରାଯାଇଥିବାବେଳେ ଅଭିଯୁକ୍ତ ରମେଶର ଡାକ୍ତରୀ ମାଇନା ପାଇଁ ଲାଞ୍ଜିଗଡ଼ ଡାକ୍ତରଖାନା ପଠାଯାଇଥିଲା ।
ପରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ୟୁ/ଏସ ୩୭୬(୨)(ଏନ)/୩୭୬(୩)/୫୦୬ ଆଇପିସି ଆରଡବ୍ଲୁ ସେକ୍ସନ ୬ ଅଫ ପକ୍ସୋ ଆର୍ଟ ଦଫାରେ ଅଭିଯୁକ୍ତ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ନେଇ ପୋଲିସ ସୂଚନା ଦେଇଛି । ସେପଟେ ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଭିଯୁକ୍ତ ବାପା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, କଳାହାଣ୍ଡି