ଭବାନୀପାଟଣା: ବସନ୍ତ ଋତୁ ଆସିଲେ ମହୁଲ ବାସ୍ନାରେ ମହକି ଉଠେ କଳାହାଣ୍ଡିର ବିଭିନ୍ନ ଜଙ୍ଗଲ । ଏହି ସମୟରେ କଳାହାଣ୍ଡିରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ରୋଜଗାର ଏକ ମୁଖ୍ୟ ଜରିଆ ହେଉଛି ଏହି ମହୁଲ ଫୁଲ । ଖରା ଟାଣ ହେବା ସାଙ୍ଗକୁ ମହୁଲ ଫୁଲ ଝଡ଼ିବା ଆରମ୍ଭ ହୋଇଯାଏ । ବଡ଼ି ସକାଳୁ ଉଠି ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲ ମୁହାଁ ହୁଅନ୍ତି ଆଦିବାସୀ ପରିବାର ସଦସ୍ୟ । ହେଲେ ଉଚିତ ବଜାର ମିଳୁନଥିବାରୁ ଏଠାକାର ଆଦିବାସୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
ମଦ ପ୍ରସ୍ତୁତିରେ ମହୁଲ ଫୁଲ ବ୍ୟବହାର ହେଉଥିବାରୁ ଏଥିରୁ ପ୍ରବଳ ରାଜସ୍ବ ପାଉଛନ୍ତି ରାଜ୍ୟ ସରକାର । ହେଲେ ଦଲାଲ ହାବୁଡ଼ରେ ପଡ଼ି କମ୍ ଦରରେ ମହୁଲ ବିକ୍ରି କରୁଛନ୍ତି ଆଦିବାସୀ । ସଚେତନତା ଅଭାବରୁ ଏହି ଆଦିବାସୀମାନେ ପଞ୍ଚାୟତରେ ଧାର୍ଯ୍ୟ ହୋଇଥିବା ଦର ଜାଣିପାରନ୍ତି ନାହିଁ । ସେପଟେ ମହୁଲ ଗୋଟାଳିଙ୍କ କମ୍ ଦର ମହୁଲ କିଣି ଦଲାଲମାନେ ମାଲାମାଲ ହେଉଛନ୍ତି । ଫଳରେ ନିରୀହ ମହୁଲ ଗୋଟାଳିଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି ।
2002 ମସିହାରେ ଗ୍ରାମ ପଞ୍ଚାୟତକୁ ମହୁଲ ଫୁଲ ଦର ନିର୍ଦ୍ଧାରଣ ପାଇଁ ଦାୟିତ୍ବ ଦିଆଯାଇଥିଲା । ସେହି ବର୍ଷ ବିଭିନ୍ନ ଗ୍ରାମ ପଞ୍ଚାୟତରେ ମହୁଲ କିଣିବାକୁ ପଞ୍ଚାୟତ କମିଟି ଜରିଆରେ ଲାଇସେନ୍ସ କରିଥିଲେ କିଛି ବ୍ୟକ୍ତି । ଏହାକୁ ପରିଚାଳନା କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଥିଲା । ହେଲେ କଳାହାଣ୍ଡିରେ ଏଥିରେ ବ୍ୟତିକ୍ରମରେ ଦେଖା ଦେଇଛି । ଚଳିତ ବର୍ଷ ଜିଲ୍ଲାରେ ମହୁଲ କିଣିବା ପାଇଁ ୮୦ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ପରିଚାଳନା ତ୍ରୁଟି ଯୋଗୁଁ ମହୁଲ ଗୋଟାଳି ଲାଭ ବଦଳରେ କ୍ଷତି ସହୁଛନ୍ତି ।
ମହୁଲର MSP ଦର କେଜି ପିଛା ୨୫ ଟଙ୍କା ରହିଛି । ହେଲେ ଏହାର ଅଧା ଦାମ୍ରେ ପ୍ରାୟ କେଜି ପିଛା ୧୦ରୁ ୧୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି କଳହାଣ୍ଡିର ମହୁଲ ଗୋଟାଳି । ୭୨ଟି ଲଘୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିଛନ୍ତି ଆଦିବାସୀ ମନ୍ତ୍ରାଳୟ । ସେଥିମଧ୍ୟରେ ଲଘୁବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ମଧ୍ୟ ସାମିଲ ହୋଇଛି । ଦଲାଲଙ୍କ ଗୋଦାମରେ ଅବକାରୀ ବିଭାଗ ଚଢ଼ାଉ କରୁନଥିବା ଅଭିଯୋଗ ହୋଇଛି । ଦଲାଲଙ୍କ ହାତବାରିସୀ ସାଜି ପ୍ରଶାସନ ହାତଗୁଞ୍ଜା ନେଉଥିବା ଅଭିଯୋଗ ହୋଇଛି । କନ୍ଧମାଳର ଜିଲ୍ଲାର ଜୁନାଗଡ଼, ଥୁଆମୁଳ ରାମପୁର, ଏମ୍. ରାମପୁର, କୋକସରା ଓ ଜୟପାଟଣା, ଲାଞ୍ଜିଗଡ଼, କଲମପୁର, ଗୋଲାମୁଣ୍ଡା, ନର୍ଲା ବ୍ଲକ ସମେତ ପାହାଡ଼ିଆ ଇଲାକାରେ ଥିବା ଗାଁ ଗୁଡ଼ିକରେ ଶହଶହ ଆଦିବାସୀ ମହୁଲ ସଂଗ୍ରହ କରି ପରିବାର ଗୁଜୁରାଣ ମେଣ୍ଟାଇ ଥାଆନ୍ତି ।
ହେଲେ ମହୁଲର ଅଭାବୀ ବିକ୍ରି ଯୋଗୁଁ ଆଦିବାସୀମାନେ କମ ଦରରେ ଦଲାଲ ହାତକୁ ଟେକି ଦେଉଛନ୍ତି । ମହୁଲ ଗୋଟାଳୀମାନେ ଉପଯୁକ୍ତ ମୂଲ୍ୟ ପାଇବାରେ ସକ୍ଷମ ହୋଇପାରୁନାହାନ୍ତି । ସେପଟେ ଏଥିପ୍ରତି ପ୍ରଶାସନ କିମ୍ବା ରାଜ୍ୟ ସରକାର ଆନ୍ତରିକତା ମଧ୍ୟ ଦେଖାଉନାହାନ୍ତି । ଫଳରେ ମହୁଲ ଗୋଟାଳୀ ଶୋଷଣର ଶିକାର ହେଉଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ