ଭବାନୀପାଟଣା: ପୁଣି ଏକ ଦାୟିତ୍ଵହୀନ ଘଟଣାକୁ ନେଇ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଦୁର୍ଘଟଣାଗ୍ରସ୍ତ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା କରିବାକୁ ହସ୍ପିଟାଲରେ କେହି ନାହାନ୍ତି । ଜରୁରୀକାଳୀନ ଡ୍ରେସିଂ କକ୍ଷରେ ତାଲା ପଡିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ କେସିଙ୍ଗା ବ୍ଲକ ଫଟକାମାଲ ଗାଁ ନିକଟରେ ଘଟିଥିଲା ଏକ ସଡକ ଦୁର୍ଘଟଣା । ଏଥିରେ 3 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଜରୁରୀକାଳୀନ ଡ୍ରେସିଂ କକ୍ଷରେ ତାଲା ପଡିଥିଲା ।
ଏହା ଦେଖି ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ମାତ୍ର ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଦେଖା ମିଳିନ ଥିବାବେଳେ ସିଡିଏମଓ ବାଧ୍ୟହୋଇ ନିଜେ ଆସି ଡ୍ରେସିଂ କକ୍ଷ ଖୋଲିଥିଲେ । ତେବେ ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଉତ୍ତରଦାୟୀ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଦାଇତ୍ଵହୀନତା ସାମ୍ନାକୁ ଆସିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ