ଭବାନୀପାଟଣା: ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ । ସମସ୍ତଙ୍କ ହାନ୍ତ ପାହାନ୍ତରେ ଦେଶ ବିଦେଶର ଟିକନିକ ଖବର ପହଞ୍ଚୁଛି । 4G ପରେ ଏବେ ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି 5G ନେଟୱର୍କ ପହଞ୍ଚାଇବା ପାଇଁ ଉଦ୍ୟମ ଚାଲିଛି । ସେପଟେ କିନ୍ତୁ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି ମୋବାଇଲ ଟାୱାର । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଏହି ସମସ୍ୟା ବିପୁଳ ମାତ୍ରାରେ ଲୋକଙ୍କୁ ପ୍ରଭାବିତ କରିଥିବାବେଳେ, ଗ୍ରାମବାସୀ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ଏହି ବ୍ଲକର ୮୦ ପ୍ରତିଶତ ଅଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି, ଯେଉଁଠି କି ସବୁଦିିନିଆ ପାଦଚଲା ରାସ୍ତାଟିଏ ମଧ୍ୟ ନାହିଁ । ଏହାସହ ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଠାରୁ ବଞ୍ଚିତ ଏଠାକାର ଲୋକମାନେ । ଏହି ବ୍ଲକର ଅନେକ ଅଞ୍ଚଳରେ ଆଜି ବି ମୋବାଇଲ ନେଟୱାର୍କ ନାହିଁ ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମସ୍ୟାକୁ ଦେଖି ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, କଳାହାଣ୍ଡି ଜିଲ୍ଲାର ୭୦ ପ୍ରତିଶତ ଉପାନ୍ତ ଅଞ୍ଚଳକୁ ମୋବାଇଲ ନେଟୱର୍କ ଯୋଗାଇ ଦିଆଯିବ । ମାତ୍ର ଏହା କେବଳ ଘୋଷଣାରେ ସୀମିତ ରହିଯାଇଛି ।
ତେବେ ପଞ୍ଚାୟତବାସୀ ଜିଲ୍ଲାପାଳ ଓ BSNL କଳାହାଣ୍ଡି ଅଧିକାରୀଙ୍କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ଼ ପଞ୍ଚାୟତବାସୀ । ଏହି ପଞ୍ଚାୟତ କଳାହାଣ୍ଡି ଓ ରାୟଗଡ ଜିଲ୍ଲା ସୀମାନ୍ତରେ ଥିବାବେଳେ ଅନେକ ସମୟରେ ସ୍ବାସ୍ଥ୍ୟସେବା ପାଇଁ ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ହେଲେ ପାହାଡ଼ ଚଢି ଫୋନରେ ଖବର ଦେବାକୁ ପଡିଥାଏ । ନେଟୱର୍କ ନଥିବା ଯୋଗୁଁ ପିଲାଙ୍କ ପାଠପଢ଼ାରେ ମଧ୍ୟ ଅନେକ ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ