ଭବାନୀପାଟଣା: ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ଅଧୀନ ଆମପାଣି ଫରେଷ୍ଟ ସେକ୍ସନ କନ୍ଦାଗଡ଼ ବିଟ୍ରେ ‘ଆମ ଜଙ୍ଗଲ’ ଯୋଜନାରେ କାମ କରିଥିବା ଶ୍ରମିକଙ୍କ ପାଉଣା ବନ କର୍ମଚାରୀମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆମ ଜଙ୍ଗଲ ଯୋଜନା ଭିଏସ୍ଏସ୍ କମିଟିର ସଭାପତି ଓ ଶ୍ରମିକ ମାନେ ବନବିଭାଗର ଦ୍ଵାରସ୍ଥ ହୋଇଛନ୍ତି।
ସୂଚନା ମୁତବକ କନ୍ଦାଗଡ଼ ବିଟ୍ର କନ୍ଦାଗଡ଼, ବାଲିପଡା, ଟିକ୍ରାପଡ଼ା, ତ୍ରିର୍ଥୀଆପଡା, ନୂଆଗାଁ ଉପରପଡା ଓ ନୂଆଗାଁ ତଳପଡା ଗାଁରେ ଆମ ଜଙ୍ଗଲ ଯୋଜନାରେ କାମ କରିଥିଲେ ଶ୍ରମିକ। ପ୍ରତି ଗାଁରେ ୧୬ ଜଣ ସଦସ୍ୟଙ୍କୁ ନେଇ ଭିଏସଏସ କମିଟି ଗଠନ କରାଯାଇ ଜଙ୍ଗଲ ସୁରକ୍ଷା ଦାୟିତ୍ବ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମନୋନୀତ କରାଯାଇଛି। ପ୍ରତି କମିଟିରେ ଜଣେ ସଭାପତି ଓ ଆମପାଣି ଫରେଷ୍ଟର ସମ୍ପାଦକ ରହି ତାଙ୍କ ନାମରେ ଜଏଣ୍ଟ ଆକାଉଣ୍ଟ ଖୋଲି ଯୋଜନାରେ ହେଉଥିବା ସମସ୍ତ କାର୍ଯ୍ୟର ଟଙ୍କା ଜମା ହୋଇ କମିଟି ରିଜଲ୍ୟୁସନ କଲାପରେ ଟଙ୍କା ଉଠାଣ ହୋଇଥାଏ।
ହେଲେ କନ୍ଦାଗଡ଼ ବିଟ୍ ଉକ୍ତ ଅଞ୍ଚଳର ଭିଏସଏସ କମିଟି ଗୁଡ଼ିକର ସଭାପତି ଯଥାକ୍ରମେ ଶବର ଚଳାନ, ନିରଞ୍ଜନ ନାଏକ, ଦୈତାରୀ ମାଝୀ, ତ୍ରିଲୋଚନ ମାଝୀ, ଟିକଚନ ମାଝୀ, ଚକ୍ର ବାଗଙ୍କ ବିନା ଦସ୍ତଖତ ଓ ଜ୍ଞାତସାରରେ ଚଞ୍ଚକତା କରି ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ଲକ୍ଷାଧିକ ସରକାରୀ ଟଙ୍କାକୁ ବନ ବିଭାଗର କର୍ମଚାରୀ ଉଠାଇଥିବା ନେଇ ଅଭିଯୋଗ ଆଣିଛନ୍ତି କମିଟିର ସଦସ୍ୟମାନେ। କନ୍ଦାଗଡ଼ କମିଟି ସଦସ୍ୟ ଓ ଶ୍ରମିକମାନେ ଆମପାଣି ଫରେଷ୍ଟର ନିକଟରେ ଅଭିଯୋଗ କରିଛନ୍ତି।
ତେବେ ଏନେଇ ଫରେଷ୍ଟରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ପୂର୍ବରୁ ଭିଏସଏସ କମିଟିର ସଭାପତି ଓ ସଦସ୍ୟମାନେ ଏହି ଅଭିଯୋଗ ନେଇ ଦକ୍ଷିଣ ବନଖଣ୍ଡ ଡିଏଫଓ ସହ ଧର୍ମଗଡ଼ ରେଞ୍ଜରଙ୍କୁ ଭେଟି ଅଭିଯୋଗ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନନେବାରୁ ଆମପାଣି ଫରେଷ୍ଟ କାର୍ଯ୍ୟାଳୟରେ ପହଞ୍ଚି ମଜୁରୀ ଟଙ୍କା ଦେବାକୁ ଦାବି କରିଥିଲେ । ଯଦି ବିଭାଗ ଶ୍ରମିକଙ୍କ ମଜୁରୀ ନଦିଏ ତା’ହେଲେ ଆଗକୁ ବନ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ଭିଏସଏସ୍ କମିଟି ଚେତାବନୀ ଦେଇଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ