ଭବାନୀପାଟଣା: ଅର୍ଚ୍ଚନା କେଳେଙ୍କାରୀକୁ ନେଇ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା ଯୁବ କଂଗ୍ରେସ । ଏହି ମାମଲାରେ ପୋଲିସର ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ ହେଉଛି । ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ତାଲିକା କରିବାକୁ ଦାବି କରି ଯୁବ କଂଗ୍ରେସ ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଛି ।
ଅର୍ଚ୍ଚନା କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ ଲଗାତାର ଭାବେ ଘଟଣାର ତଦନ୍ତ ନେଇ ପ୍ରଶ୍ନ ଉଠାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛି । ଜେଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛି । ଅର୍ଚ୍ଚନାଙ୍କ ଲିଙ୍କରେ କଳାହାଣ୍ଡି ଜିଲ୍ଲାର ଅନେକ ନେତା ସାମିଲ ରହିଥିବା ବେଳେ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ନେତାଙ୍କ ନାମ ତାଲିକାଭୁକ୍ତ କରିବାକୁ ଦାବି କରିଛି ଯୁବ କଂଗ୍ରେସ ।
ଏହା ବି ପଢନ୍ତୁ- ଜେଲଗଲେ ଜଗବନ୍ଧୁ: ଅର୍ଚ୍ଚନା ଷଡଯନ୍ତ୍ରରେ ସାମିଲ ଥିଲେ ଜଗବନ୍ଧୁ, ଡିସିପି ପ୍ରତୀକ ସିଂଙ୍କ ସୂଚନା
ପୋଲିସ ଏନେଇ ତଦନ୍ତକୁ ନିରପେକ୍ଷ କରିବା ପାଇଁ ଦାବି କରି କଂଗ୍ରେସ ଏହି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ସେପଟେ ଅର୍ଚ୍ଚନା ନାଗ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସମ୍ମାକୁ ଆସୁଥିବା ବେଳେ ଅର୍ଚ୍ଚନାଙ୍କ ଲାଞ୍ଜିଗଡ଼ରୁ ଭୁବନେଶ୍ବର ଯାତ୍ରାର ମୁଖ୍ୟ କାରଣ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ସାମାଜିକ କର୍ମୀ ତଥା ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ । ଏହି ଘଟଣାକୁ ନିନ୍ଦା କରିବା ସହ ଅର୍ଚ୍ଚନାର ପରଦା ପଛର କାହାଣୀ ସାମ୍ନାକୁ ଆସିବା ଦରକାର ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
ଅର୍ଚ୍ଚନା ନାଗ ଜଣେ ନିରୀହ ଝିଅରୁ କିପରି କଳା ସାମ୍ରାଜ୍ୟର ରାଣୀ ପାଲଟିଗଲେ, ସେହି ଇତିହାସକୁ ଲୋକ ଲୋଚନକୁ ଆଣିଛନ୍ତି ଲିଙ୍ଗରାଜ । ସେହିପରି ଏଥିରେ ଅର୍ଚ୍ଚନା ଯେତିକି ଦାୟୀ ତାଠାରୁ ଏଥିରେ ସମ୍ପୃକ୍ତ ନେତା, ମନ୍ତ୍ରୀ ତଥା ଅଫିସର ମାନେ ମଧ୍ୟ ସେତିକି ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି । ସେପଟେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ପୋଲିସ ଗିରଫ କରିଛି । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଗିରଫ ପରେ ତାଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ଲ୍ୟାପଟପ, ଡାଏରୀ ଓ କିଛି ଡକ୍ୟୁମେଣ୍ଟକୁ ଜବତ କରିଛି ପୋଲିସ । ଅର୍ଚ୍ଚନା ଷଡ଼ଯନ୍ତ୍ରରେ ସ୍ବାମୀ ଜଗବନ୍ଧୁ ସାମିଲ ରହିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି ।
ଇଟିଭି ଭାରତ, କଳାହାଣ୍ଡି