ଭବାନୀପାଟଣା: ରାଜ୍ୟ ସରକାରଙ୍କ ତରଫରୁ ୨୦ ଜଣରୁ କମ ଉପସ୍ଥାନ ଥିବା ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ନିଷ୍ପତ୍ତି ନିଆଯାଇ ଥିବାବେଳେ ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଟେମରିଆ ପଡା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତିକୁ ଗ୍ରାମବାସୀ ଏବଂ ଅଭିଭାବକମାନେ ବିରୋଧ କରିଛନ୍ତି ।
ଏହା ଏକ ଆଦିବାସୀ ଅଧ୍ୟୁଷିତ ଗାଁ ହୋଇ ଥିବାବେଳେ ଏହା ଦ୍ୱାରା ସମସ୍ତ ଆଦିବାସୀ ପିଲା ପାଠ ପଢିବାରୁ ବଞ୍ଚିତ ହେବେ । ଏହି ପରିପ୍ରେକ୍ଷୀରେ ଆଜି(ଗୁରୁବାର) ଗ୍ରାମବାସୀ ଧର୍ମଗଡ଼ ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏହି ସ୍କୁଲ ବନ୍ଦ ହେଲେ ପିଲାମାନେ ନାଳ ଏବଂ ଗୋଟିଏ କେନାଲ ଦେଇ ପାଖ ଗାଁକୁ ପାଠ ପଢିବାକୁ ଯିବେ ଯାହାକି ପିଲାମାନଙ୍କ ପ୍ରତି ବିପଦ ଥିବା ଗ୍ରାମବାସୀ ଆଶଙ୍କା କରି ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏଥିସହ ଦୂର ସ୍ଥାନକୁ ଗଲେ ପିଲାମାନଙ୍କର ମନ ଦୁର୍ବଳ ରହିବ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି । ତେଣୁ ଏହି ସ୍କୁଲକୁ ବନ୍ଦ ନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ