କଳାହାଣ୍ଡି: ଶାକାର ହେବ କଳାହାଣ୍ତିବାସୀଙ୍କ ସ୍ବପ୍ନ । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବ । ଜାତୀୟ ମେଡିକାଲ କମିସନ ପକ୍ଷରୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଆରମ୍ଭ ପାଇଁ ଅନୁମୋଦନ କରିଛି । ଏଥିରେ ଚଳିତ ବର୍ଷ ୧୦୦ ସିଟ୍ MBBS ପାଠପଢ଼ା ପାଇଁ ନାମଲେଖା ଆରମ୍ଭ ହେବ । ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ପାଇଁ ୨୦୦୫ ମସିହାରୁ ଆନ୍ଦୋଳନ ଜାରି ଥିବା ବେଳେ ୨୦୧୬ ମସିହାରେ ରାଜ୍ୟ ସରକାର ମେଡିକାଲ କଲେଜ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।
ସାଇନିଂ କଳାହାଣ୍ଡି ସଂଗଠନ ଅଧ୍ୟକ୍ଷ ଭାବନୀଶଙ୍କର କହିଛନ୍ତି, "୨୦୦୫ ମସିହାରୁ ଆନ୍ଦୋଳନ ଆରମ୍ଭ କରି ୨୦୧୬ କଡା ସଂଘର୍ଷ ପରେ ଆନ୍ଦୋଳନ କରାଯାଇଛି । ଯାହାର ଫଳରେ ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସରକାରୀ ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରାଯାଇଥିଲା । ଏଥିରେ ୧୦୦ ସିଟ୍ MBBS ପାଠପଢ଼ା ପାଇଁ ଜାତୀୟ ମେଡିକାଲ କମିଶନ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଆଜି କମିଶନ ପକ୍ଷରୁ ୧୦୦ ସିଟ୍ MBBS ନିମନ୍ତେ ଅନୁମୋଦନ ଦିଆଯାଇଛି ।" ଅନ୍ଯପଟେ ଏହାକୁ ନେଇ ଜିଲ୍ଲାବସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବହୁ ଦିନର ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର ହୋଇଥିବା ବେଳେ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।
ବର୍ତ୍ତମାନ ସରକାରୀ ମେଡିକାଲ କଳେଜରେ ୫ ଜଣ ପ୍ରଫେସର, ୧୪ ଜଣ ଆସୋସିଏଟ ପ୍ରଫେସର, ୨୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ସମେତ ୪୩ ଜଣ ନିଯୁକ୍ତ ହୋଇ ସାରିଛନ୍ତି । ସେହିଭଳି ଡିନ୍ ଓ ଅଧ୍ୟକ୍ଷ ଭାବରେ ଡ.ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମେଡିକାଲ ଅଧୀକ୍ଷକ ଭାବରେ ପ୍ରଫେସର ହରେକୃଷ୍ଣ ଦଳେଇ ଯୋଗ ଦେଇଛନ୍ତି । ବର୍ତ୍ତମାନ ମେଡିସିନ, ସର୍ଜରୀ, ଆନାସ୍ଥେସିଆ, ପ୍ରସୂତି ଓ ସ୍ତ୍ରୀ ରୋଗ, ଫିଜିଓଲୋଜି, ବାୟୋକେମିଷ୍ଟ୍ରି ବିଭାଗର ପ୍ରଫେସରମାନେ ଯୋଗ ଦେଇଛନ୍ତି । ଧାର୍ଯ୍ୟ ପଦବୀର ୮୬ ପ୍ରତିଶତ ପଦବି ପୂରଣ ହୋଇସାରିଛି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ୧୦୦ ସିଟ୍ ପାଇଁ ନାମ ଲେଖାଇବେ । ବର୍ତ୍ତମାନ କଲେଜ ପାଇଁ କୋଠା ନିର୍ମାଣ ସରିଥିବା ବେଳେ ଟିଚିଂ ହସ୍ପିଟାଲ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଟିଚିଂ ହସ୍ପିଟାଲ ନିର୍ମାଣ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନିମନ୍ତେ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଅସ୍ଥାୟୀ ଭାବରେ ଟିଚିଂ ହସ୍ପିଟାଲ ନିର୍ମାଣ ହୋଇଛି ।
ଇଟିଭି ଭାରତ, କଳାହାଣ୍ଡି