କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ. ରାମପୁର ବନପାଳ ରୁଦ୍ରମାଧବ ଗହୀର ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଘଟଣା ଅନୁସାରେ ସୁଧନ ଭୋଇ ନାମକ ଜଣେ ସରକାରୀ କର୍ମଚାରୀ ମ. ରାମପୁର ରେଞ୍ଜରେ ସ୍କ୍ୱାଡ ଭାବେ ଅନେକ ଦିନରୁ ନିୟୋଜିତ ଥିଲେ।
କୌଣସି କାରଣରୁ ସୁଧନଙ୍କୁ କେଗାଁକୁ ବଦଳି କରାଯାଇଥିଲା। ପରେ ସେ ଚାକିରିରୁ ବାହାରି ଯାଇଥିଲେ। ଏହି ଘଟଣାକୁ ନେଇ ମ. ରାମପୁର ବନପାଳ ରୁଦ୍ରମାଧବ 10 ହଜାର ଟଙ୍କା ଦେଲେ ପୁଣି ଥରେ ଚାକୀରିରେ ରଖିଦେବେ ବୋଲି କହିଥିଲେ । ଦାବି ମୁତାବକ ସୁଧନ ଭୋଇ ମ.ରାମପୁର ଆସି ଭଡାଘରେ ରହୁଥିବା ବନପାଳ ଗହୀରଙ୍କୁ ୧୦ହଜାର ଟଙ୍କା ଦେଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବନପାଳଙ୍କୁ ଗିରଫ କରିଥିଲେ ।
ଏଥିସହ ଗିରଫ ବନପାଳଙ୍କ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଏଥିରେ ଇନ୍ସପେକ୍ଟର କଳାବତୀ ବାଗ ଓ ସନ୍ତୋଷ ମହାନ୍ତି, ଷ୍ଟେନୋ ଶିବପ୍ରସାଦ ପ୍ରଧାନ, କନଷ୍ଟେବଲ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ