ଭବାନୀପାଟଣା: ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସମ୍ପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା । ଗ୍ରୀଷ୍ମ ପ୍ରବାହରୁ ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ସହରର ତାପମାତ୍ରା ଏବେ ୪୦ ଡିଗ୍ରୀରୁ ଅଧିକ ରହିଛି । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଳା ପ୍ରଶାସନ ।
ଅତ୍ୟଧିକ ଗରମ ଲୋକଙ୍କୁ କଲବଲ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅଘୋଷିତ ବିଜୁଳି କାଟ ସହ କମ୍ ଭୋଲ୍ଟେଜ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ସେପଟେ ପାନୀୟ ଜଳ ସମସ୍ୟା ସହରବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି । ଏଭଳି ମୁଣ୍ଡଫଟା ଗରମରେ ବର୍ତ୍ତମାନ ସୁଦ୍ଧା ସହରରେ ଜଳଛତ୍ର ଖୋଲା ଯାଇନାହିଁ । ଫଳରେ ଏଠାରୁ ଆସୁଥିବା ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ତାପମାତ୍ରାର ବୃଦ୍ଧି ଯୋଗୁଁ ଲୋକଙ୍କ ଚିନ୍ତା ବଢି ଯାଉଛି । ସନ୍ଧ୍ୟା ହେଲେ ହିଁ ଅଧିକାଂଶ ଲୋକ ଘର ବାହାରକୁ ଆସୁଛନ୍ତି । ଯେଉଁ ମାନଙ୍କ କାମ ଅଛି ସେମାନେ ଛତା, ଟୋପି କିମ୍ୱା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାଜରାସ୍ତା, ରାସ୍ତାଘାଟ ଶୁନ୍ଶାନ୍ ରହୁଥିବା ଦେଖା ଦେଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ