ଭବାନୀପାଟଣା: ମମିତାଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା ବଜେପିର ଧାରଣା । ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି । ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଲିଙ୍କ ଥିବାରୁ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି କଳାହାଣ୍ଡି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ମମିତାଙ୍କୁ ନ୍ୟାୟ ଦାବି କରି ଧର୍ମଗଡ଼ ଚାରି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି ।
ମନ୍ତ୍ରୀ ବହୁ ବିଳମ୍ବରେ ମୁହଁ ଖୋଲି ଥିବାବେଳେ ଏହାକୁ କାଉଣ୍ଟର କରିଛି ବିଜେପି । ସମସ୍ତ ପ୍ରମାଣ ନଷ୍ଟ କରିବା ପରେ ମନ୍ତ୍ରୀ ମୁହଁ ଖୋଲିଛନ୍ତି ବୋଲି ଦଳ କହିଛି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେଲେ ଏହି ଘଟଣାର ସତ୍ୟାସତ୍ୟ ସାମାନାକୁ ଆସିବ ବୋଲି ବିଜେପି କହିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ