ଭବାନୀପାଟଣା: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ବଣରେ କଟକଣା ରହିଛି । କୋଭିଡ କଟକଣା ଭିତରେ ଏଥର ଗଣେଶ ପୂଜା ପାଳନ ହେବ । ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।


ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା ସଂକ୍ରମଣର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଏବଂ ପାର୍ବଣ ଋତୁ ପାଇଁ ଗାଇଡ଼ଲାଇ ଅନୁଯାୟୀ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପୂଜା କମିଟିମାନେ ଗଣେଶ ପୂଜା ଓ ନୂଆଁଖାଇ ପର୍ବ ପାଳନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ମୁଖ୍ୟତଃ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିବାବେଳେ ସାଉଣ୍ଡ ସିଷ୍ଟମ ବ୍ୟବହାର ଉପରେ ମଧ୍ୟ ରୋକ ଲଗାଯାଇଛି ।
ସେହିପରି ନୂଆଁଖାଇ ଭେଟଘାଟ ଉତ୍ସବକୁ ବାରଣ କରାଯାଇଥିବାବେଳେ ଗହଳି ଉପରେ କଟକଣା ଜାରି କରାଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପଦାଧିକାରୀଙ୍କ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ