ଭବାନୀପାଟଣା: ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜରାସ୍ତାରେ ସାମ୍ବାଦିକ । ପ୍ରତିଦିନ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଥିବା ବେଳେ ଏନେଇ କଳାହାଣ୍ଡି ସାମ୍ବାଦିକ ସଙ୍ଘ ସମୂହ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ତେବେ ଗତକାଲି(ଶୁକ୍ରବାର) ଜିଲ୍ଲାର ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ପ୍ରତିବାଦ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।
ସାରା ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ଆଜି ଅସୁରକ୍ଷିତ ହୋଇପଡିଥିବା ବେଳେ ସାମ୍ବାଦିକ ସୁରକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆଇନ ପ୍ରଣୟନ ହୋଇନାହିଁ । ଏଥପାଇଁ ପ୍ରତ୍ୟେକ ସମୟରେ ଓଡିଶା ସାମ୍ବାଦିକ ୟୁନିଅନ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସାରା ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ସହ ମିଥ୍ୟା କେସରେ ଫସେଇବା ଭଳି ଘଟଣା ଦୈନନ୍ଦିନ ଘଟୁଛି । ଏନେଇ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ସମୂହ ପକ୍ଷରୁ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶାରେ ସାମ୍ବାଦିକଙ୍କ ସୁରକ୍ଷା ନେଇ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର ପ୍ରଣୟନ ପାଇଁ ଦାବି ହୋଇଛି । ଗୋପବନ୍ଧୁ ସାସ୍ଥ୍ୟବୀମା ଯୋଜନାର ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ଗୋପବନ୍ଧୁ ସାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ପାଇଁ ଦାବି କରିଛି ସଙ୍ଘ ।
ଜିଲ୍ଲାର ନର୍ଲାରେ କାର୍ଯ୍ୟରତ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ରଞ୍ଜନ ମହାନ୍ତି ସାର କଳାବଜାରୀକୁ ନେଇ ଖବର ପ୍ରସାରଣ କରିବା ପରେ ଏଥିରେ ସମ୍ପୃକ୍ତ ଗୋଷ୍ଠୀ ତାଙ୍କ ନାମରେ ନର୍ଲା ଥାନାରେ ମିଥ୍ୟା କେସ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଉକ୍ତ କେସ ପ୍ରତ୍ୟାହାର ଦାବି ନେଇ ନର୍ଲା ଡାକବଙ୍ଗଳାରୁ ଜିଲ୍ଲାର ସମସ୍ତ ସାମ୍ବାଦିକ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ନର୍ଲା ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ବିରଞ୍ଚି ଜାଲ, ହିମାଂଶୁ ବରାଡ, ସଞ୍ଜୁକ୍ତା ପୁରୋହିତ, ଖଗେଶ୍ବର ଧଙ୍ଗଡାମାଝୀ, ସୁଶୀଲ କୁମାର ବାଗ, ପ୍ରଶାନ୍ତ ସାମନ୍ତରା, ସୁଧୀର ସାହୁ, ଲିଙ୍ଗରାଜ ମିଶ୍ର, ସନତ ପଧାନୀ, ଦୀପକ ସାହୁ, ଯଜାତି ଦେଓ ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ସାମ୍ବାଦିକ ସାମିଲ ହୋଇଥିଲେ ।
ଇଟିଭି ଭାରତ, କଳାହାଣ୍ଡି