ଭବାନୀପାଟଣା: ଇନ୍ଦ୍ରାଵତୀ ଉଠା ଜଳସେଚନ ପ୍ରକଳ୍ପ ଆଡିବନ୍ଧ ଭାଙ୍ଗିବା ଘଟଣାର ଚାଲିଛି ତଦନ୍ତ । ଏନେଇ କଳାହାଣ୍ଡିରେ ପହଞ୍ଚିଛନ୍ତି ଇଞ୍ଜିନିୟରିଂ ଇନ ଚିଫଙ୍କ ସହିତ ଏକ ସ୍ବତନ୍ତ୍ର ଟିମ । ଇଣ୍ଟରନାଲ ଭିଜିଲାନ୍ସ ସେଲର ଇଂଜିନିୟରିଂ ଇନ ଚିଫ ଅସିମ ମହାପାତ୍ରଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସେପଟେ କ୍ବାଲିଟି କଣ୍ଟ୍ରୋଲ ମୁଖ୍ୟଙ୍କ ସହିତ ଜଳ ସମ୍ପଦ ବିଭାଗର ୫ ଟି ଦାୟିତ୍ଵରେ ଥିବା ଅଧିକାରୀ ଏହି ଟିମରେ ସାମିଲ ଅଛନ୍ତି । ତେବେ କେଉଁ କାରଣ ପାଇଁ ଆଡି ବନ୍ଧ ଭାଙ୍ଗିଲା ତଥା ନିର୍ମାଣରେ କଣ ଅନିୟମିତତା ହୋଇଛି ସେନେଇ ତଦନ୍ତ କରି ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ ଟିମ ।
ସରକାରଙ୍କ ତରଫରୁ ମିଳିଥିବା ୬୬୫ କୋଟି ଟଙ୍କାରେ ଏଲଆଣ୍ଡଟି (L&T) କମ୍ପାନୀ ଦ୍ବାରା ନିର୍ମିତ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କେନାଲ ଆଡି ବନ୍ଧ ଶନିବାର କୋକସରା ବ୍ଲକ ମାଝୀ ଗୁଡା ଠାରେ ଭାଙ୍ଗି ଯାଇଥିଲା । ଯାହା ଫଳରେ କି 2ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଆଡି ବନ୍ଧ ଭାଙ୍ଗିବା ପରେ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ନିମ୍ନ ମାନର କାମ ଓ ମାତ୍ରାଧିକ ଜଳସ୍ରୋତ ଯୋଗୁଁ କେନାଲ ବନ୍ଧ ଭାଙ୍ଗିଥିବା ସନ୍ଦେହ କରାଯାଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ