ଭବାନୀପାଟଣା: ତଳି କିଆରୀରେ ଅମୃତ ମହୋତ୍ସବ । ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଚାଲିଥିବା ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଜଣେ ଚାଷୀ ଧାନ କିଆରିରେ ଅନନ୍ୟ କୃତି କରିଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଅଗ୍ରଣୀ ଚାଷୀ ପ୍ରାଣରଞ୍ଜନ ବେହେରା ନିଜର ଧାନ ତଳି କିଆରିରେ ଏକ ଅନନ୍ୟ କୃତି ମାଧ୍ୟମରେ ଅମୃତ ମହୋତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଜାତୀୟତା ଭାବ ଉଦ୍ରେକ ନିମିତ୍ତ ଧାନ ତଳିରେ ଜାତୀୟ ପତାକା ରଙ୍ଗ ଦେଇ ଏକ ସୁନ୍ଦର ଭାରତ ମାନଚିତ୍ର ଆଙ୍କିଛନ୍ତି। ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ପ୍ରାଣରଞ୍ଜନ ଏକାଧାରରେ ଜଣେ ସଫଳ ଚାଷୀ, ଲେଖକ, ସାମ୍ବାଦିକ, ସମାଜସେବୀ ଭାବରେ ବେଶ ଜଣାଶୁଣା ।
ବିଭିନ୍ନ ସମୟରେ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ପ୍ରସଙ୍ଗ ଉପରେ ସେ ଧାନ ତଳି ମାଧ୍ୟମରେ ଅନନ୍ୟ କୃତି କରି ଚର୍ଚ୍ଚାରେ ରହିଥାନ୍ତି । ବିଭିନ୍ନ କୃତି ମାଧ୍ୟମରେ ଅନ୍ଧବିଶ୍ବାସ, କୁସଂସ୍କାର ଦୂର ଓ ସଚେତନତା ସୃଷ୍ଟି ଭଳି ବିଷୟ ଉପରେ ଆଲୋକପାତ କରି ଆଦୃତ ଲାଭ କରିଛନ୍ତି । ବିଗତ ୧୦ ବର୍ଷ ଧରି ପ୍ରସ୍ତୁତ ଏଭଳି କୃତି ତାଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ