ଭବାନୀପାଟଣା: ଗାଁ ମୁଣ୍ଡରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରିହରପୁର ଗାଁ ମୁଣ୍ଡରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ଦେବକୀ ପାଳକା । ବୁଧବାର ଠାରୁ ଦେବକୀ ନିଖୋଜ ଥିଲେ ତେବେ ଗୁରୁବାର ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦେବକୀଙ୍କ ଫୋନ୍ ଆସିବାରୁ ସେ ଘର ବାହାରକୁ ବାହାରି କଥା ହେଉଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକେ ଦେବକୀଙ୍କୁ ଡାକିବାରୁ ସେ ହଠାତ କେଉଁଆଡେ ଚାଲିଯାଇଥିଲେ । ଦୀର୍ଘ ସମୟରେ ଧରି ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଶେଷରେ ଝିଅର କୌଣସି ଖୋଜଖବର ନପାଇବାରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ସଦସ୍ୟ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ତଦନ୍ତ ଆରମ୍ଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ-OTET ଉତ୍ତର ସିଟ୍ ଭାଇରାଲ ଘଟଣା, ପରୀକ୍ଷା ବାତିଲ
ତେବେ ଗୁରୁବାର ସନ୍ଧ୍ୟା ସମୟରେ ଗାଁ ମୁଣ୍ଡରେ ଥିବା ବର ଗଛରେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବାବେଳେ, ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ ।
ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିବା ନେଇ ସୂଚନା ମିଳିଛି। ତେବେ ଯୁବତୀଙ୍କୁ କିଏ ହତ୍ୟା କଲା ଓ ସେ ଘରୁ କିପରି ଗାଁ ମୁଣ୍ଡକୁ ଆସିଲେ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । କୈଣସି ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ।
ଏନେଇ ମୃତ ଯୁବତୀଙ୍କ ବଡ଼ ଭଉଣୀ ସେବତୀ ପାଳକା କହିଛନ୍ତି ଯେ, ''ରାତିରେ ସେ ସବୁଦିନ ଫୋନରେ କଥା ହୁଏ, ମୁଁ ଦେଖିଥିଲେ ମଧ୍ୟ ତାକୁ କିଛି କୁହେ ନାହିଁ, କିନ୍ତୁ ବୁଧବାର ଦିନ ମୁଁ ତାକୁ ଫୋନ୍ରେ କାହିଁ କଥା ହେଉଛୁ ବୋଲି ପଚାରିବାର ସେ ଦୌଡିକି କେଉଁଆଡେ ପଳାଇଲା, କୈଳାଶ ଗୁମା ନାମକ ଜଣେ ଯୁବକ ମୋ ଭଉଣୀକୁ ହତ୍ୟା କରିଛି ।''
ଇଟିଭି ଭାରତ, କଳାହାଣ୍ଡି