ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ବୁଧବାର କଳାହାଣ୍ଡି ପୋଲିସ ଦ୍ଵାରା ହୋଇଥିବା ମାଓ ଅପରେସନରେ ୫ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଏସଓଜି ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମର ଶରୀର ଗୁରୁବାର ଭବାନୀପାଟଣା ରିଜର୍ଭ ପଡିଆଠାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।
ଦୁଇ ଯବାନଙ୍କ ଶହୀଦ ଖବରକୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ବୁଧବାର କଳାହାଣ୍ଡି ପୋଲିସ ପକ୍ଷରୁ କଳାହାଣ୍ଡି-କନ୍ଧମାଳସୀମାନ୍ତ ସିର୍କି ଜଙ୍ଗଲରେ ଡିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଅପରେସନ କରାଯାଇଥିଲା । ଯବାନ ଓ ମାଓବାଦୀ ମଧ୍ୟରେ ଉଭୟ ପଟୁ ଦୀର୍ଘ ୪୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା । ଏହି ସମୟରେ ୪ ମହିଳା ମାଓବାଦୀ ସମେତ ଜଣେ ପୁରୁଷ ମାଓବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଥିଲେ । ଅପରପକ୍ଷରେ ମାଓବାଦୀଙ୍କ ପାଲଟା ଆକ୍ରମଣରେ ଶହୀଦ ହୋଇଯାଇଥିଲେ ଦୁଇ ଯବାନ ।
ଶହୀଦ ଦୁଇ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧିର କୁମାର ଟୁଡୁ ଏବଂ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ । କଳାହାଣ୍ଡି-କନ୍ଧମାଳ ସୀମା ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ବୁଧବାର ସକାଳ ୧୧ଟା ସମୟରେ ମାଓ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ମିଳିତ ଅପରେସନ କରିଥିଲେ।
ସର୍ଚ୍ଚ ଅପରେସନ ବେଳେ ୭ଟି ମାଓକ୍ୟାମ୍ପ ଠାବ କରାଯାଇଥିବାବେଳେ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ମୂରଲୀ ଓ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମାଣ୍ଡର ନିଖିଳ ଖସି ପଳାଇବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଓ କନ୍ଧମାଳ ସୀମାରେ ଉଭୟ ପଟରୁ କୁମ୍ବିଂ ଜୋରଦାର କରାଯାଇଛି । ଦୁଇ ଶହୀଦଙ୍କ ପାର୍ଥିବ ଶରୀରକୁ ଭବାନୀପାଟଣା ରିଜର୍ଭ ପଡିଆରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏହି ସମୟରେ ପୋଲିସ ଡିଜି ଅଭୟ, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମଦ ଖାଁ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ, ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ମୃତ ୫ ମାଓବାଦୀଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ