ଭବାନୀପାଟଣା: ଜଙ୍ଗଲ ଜମି ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା । କଳାହାଣ୍ଡି ଜିଲ୍ଲା ବିଜେପୁର ପଞ୍ଚାୟତ ସିନ୍ଦିଭଟା ଓ ଲାଖବାହାଲି ପଞ୍ଚାୟତର ଥୁଆଙ୍ଗପଦର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଜୁନ ମାସ ୧୯ରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ସେଥିରେ ଉଭୟ ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଉଭୟ ଗ୍ରାମବାସୀ ଜିଦ୍ରେ ଅଡି ବସିଥିବାରୁ ଉକ୍ତ ଅଞ୍ଚଳରେ 144 ଧାରା ଜାରି କରିବା ପାଇଁ ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି ।
ଲାଞ୍ଜିଗଡ ବ୍ଲକ ପ୍ରଶାସନ, ବନବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଉଭୟ ଗ୍ରାମବାସୀଙ୍କ ସମାଧାନ ପାଇଁ ଶାନ୍ତି କମିଟି ଗଠନ କରାଯିବାର ପ୍ରୟାସ କରାଯାଇଥିଲା । ତେଣୁ ଉଭୟ ଗ୍ରାମର ଲୋକଙ୍କୁ ବିଜେପୁର ଥାନାକୁ ଡକା ଯାଇଥିଲା । ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୁଲହାରସଙ୍କ ନେତୃତ୍ୱରେ ଦୁଇ ପକ୍ଷକୁ ବୁଝାସୁଝା କରାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା ।
ଫଳରେ ଲାଞ୍ଜିଗଡ ତହସିଲଦାର ମୁନିଦ୍ର ହୁନାଙ୍ଗା, ଏସିଏଫ ଅମିତ ରାୟ, ଉଭୟ ଗ୍ରାମର ଲୋକଙ୍କୁ ଜଙ୍ଗଲ ଜମି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଜମି ଛାଡିବୁ ନାହିଁ କହି ଥୁଆଙ୍ଗ ପଦର ଗ୍ରାମବାସୀ ଶାନ୍ତି କମିଟି ବୈଠକରୁ ଓହରି ଯାଇଥିଲେ । ଶେଷରେ ଜଙ୍ଗଲକୁ ନଯିବା ପାଇଁ ୧୪୪ ଧାରା ଲଗାଇବାକୁ ତହସିଲଦାର ଚେତାବନୀ ଦେଇଥିଲେ । କିନ୍ତୁ ଜମି ନଛାଡିବାରୁ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ସତର୍କ ସୂଚନା ପୋଷ୍ଟର ମରାଯାଇଛି ।
ଅନ୍ୟପଟେ ସତର୍କ ସୂଚନାକୁ ଖାତିର କରୁନାହାଁନ୍ତି ଗ୍ରାମବାସୀ ଏବଂ ଦୃଢ଼ ପ୍ରତିବାଦ କରି କହିଛନ୍ତି, "ଲାଞ୍ଜିଗଡ଼ ବ୍ଲକର ପ୍ରତ୍ୟେକ ଜାଗାରେ ଶହ ଶହ ହେକ୍ଟର ଜଙ୍ଗଲ କଟାଯାଉଥିବାବେଳେ, ପ୍ରଥମେ ସେଠାରେ 144 ଧାରା ଜାରି କରାଯାଉ । ଏହାପରେ ଆମେ ଜଙ୍ଗଲ ଛାଡ଼ିଦେବୁ । ନଚେତ ଜୀବନ ଯାଉ ପଛେ ଜମି ଛାଡ଼ିବୁ ନାହିଁ ।"
ଇଟିଭି ଭାରତ, କଳାହାଣ୍ଡି