ଭବାନୀପାଟଣା: ଗତ ଗୁରୁବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ଡକାୟତ ଲୁଟିନେଲେ ଟଙ୍କା ଆଉ ସୁନା ଗହଣା । ଘଟଣା ଘଟିଛି ଜୟପାଟଣା ଥାନା ଅନ୍ତର୍ଗତ ନୂଆଗୁଡା ଗାଁରେ ।
ଗାଁର ଭକ୍ତରାମ ଗୌନ୍ତିଆଙ୍କ ଘରକୁ ପ୍ରାୟ ମଧ୍ୟ ରାତ୍ରିରେ ୧୦ରୁ ଊର୍ଦ୍ଧ୍ବ ଡକାୟତ ମାରଣାସ୍ତ୍ର ସହ ବଳପୂର୍ବକ ଘରେ ପଶି ଆସିଥିଲେ । ଏଥିସହିତ ସେମାନେ ପରିବାର ବର୍ଗଙ୍କୁ ଅସ୍ତ୍ର ମୁନରେ ହତ୍ୟା ଧମକ ଦେଇ ନଗଦ ୫ ଲକ୍ଷ ଟଙ୍କା ଓ ୫ ଭରି ସୁନା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ଲୁଟ ଘଟଣାକୁ ପ୍ରତିବାଦ କରିବାରୁ ଭକ୍ତରାମଙ୍କ ପୁଅଙ୍କୁ ଡକାୟତମାନେ ଆକ୍ରମଣ କରିଥିବା ବେଳେ ସେ ଡାକ୍ତର ଖାନାରେ ଚିକିତ୍ସାଧିନ ଅଛନ୍ତି । ଅଭିଯୋଗ ପାଇବା ପରେ ଧର୍ମଗଡ଼ ଏସଡ଼ିପିଓ ସଦଳବଳେ ଫରେନ୍ସିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏଭଳି ଲୁଟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖାଦେଇଛି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ