ଭବାନୀପାଟଣା: ପୁଣି ନିର୍ଯାତନାର ଶିକାର ଜାଲରେ ପଡିଯାଇଛନ୍ତି ଦାଦନ । ନିଯୁକ୍ତି ଦେବା ବାହାନାରେ ଜଣେ ଦଲାଲ ସ୍ଥାନୀୟ ଅଞ୍ଚଳରୁ 2ଟି ଯୁବକଙ୍କୁ ନେଇ ମଧ୍ୟପ୍ରଦେଶର ଇନ୍ଦୋର ଛାଡି ଦେଇଥିବା ଅଭିଯୋଗ ହୋଇଛି । ଠିକାଦାରଠାରୁ ଉଦ୍ଧାର କରିବା ପାଇଁ ନିର୍ଯାତିତ ଯୁବକ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଗତ 16 ତାରିଖ ଦିନ ଟେଣ୍ଡାପାଲି ପଞ୍ଚାୟତ ଛତାଗହୀର ଗ୍ରାମର କୃଷ୍ଣ ଦୁର୍ଗା ନାମକ ଜଣେ ଦଲାଲ ଏହି ଅପରାଧ କରିଥିବା ଜଣାପଡିଛି । ସେ ନିକଟସ୍ଥ ଜୟନ୍ତପୁର ପଞ୍ଚାୟତ ରଇନଗୁଡା ଗ୍ରାମର ଦିଗାମ୍ବର ମାଝୀଙ୍କ ପୁଅ ଭାରତ ମାଝୀ ଓ ଚତୁର ମାଝୀଙ୍କୁ ନେଇ ଉମରକୋଟଠାରେ ନିଯୁକ୍ତି ଦେବା ବାହାନା କରି ସାଙ୍ଗରେ ନେଇଥିଲେ । ସେଠାରୁ ପ୍ରବର୍ତ୍ତାଇ ପୁଣି ଏକ ବୋଲେରୋ ମାଧ୍ୟମରେ ମଧ୍ୟପ୍ରଦେଶର ଇନ୍ଦୋରକୁ ନେଇ ଏକ ଠିକଦାର ପାଖରେ ଛାଡ଼ିଦେଇ ଦଲାଲ ଜଣକ ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି ।
ସେପଟେ ଠିକାଦାର ନିର୍ଯାତନା ଦେବା ସହ ମାଡ଼ପିଟ କରି କାମରେ ଖଟାଉଥିବା ନେଇ ଘର ଲୋକଙ୍କୁ 2 ନିର୍ଯାତିତ ଯୁବକ ଫୋନ ଯୋଗେ ଉଦ୍ଧାର କରିବା ପାଇଁ ପରିବାରକୁ ଜଣାଇଥିଲେ। ଦଲାଲ ଜଣକ ଏକ ବୋରିଂ ମାଲିକ ପାଖରେ ଦୁଇ ଯୁବକଙ୍କୁ 80 ହଜାର ଟଙ୍କାରେ ବନ୍ଧକ ପକାଇଥିବା ପରିବାର ଲୋକଙ୍କଠାରୁ ସୂଚନା ମିଳିଛି ।
ଏନେଇ କୋକସରା ଥାନାରେ ଦାଦନ ଶ୍ରମିକଙ୍କ ପିତାମାତା ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଦଲାଲ ଜଣକ ଫେରାରଥିବା ଜଣା ପଡିଛି । ଅନ୍ୟପଟେ ପରିବାର ଲୋକେ ଖୁବ୍ଶୀଘ୍ର ନିର୍ଯାତିତ ଯୁବକଙ୍କ ଫେରାଇ ଆଣିବାକୁ ପୋଲିସ ନିକଟରେ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ଦାସ, ଇଟିଭି ଭାରତ