ଭବାନୀପାଟଣା: ଜଙ୍ଗଲ ସୁରକ୍ଷା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ଟଙ୍କା ଆତ୍ମସାତ ଅଭିଯୋଗ । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଆମପାଣି ସେକ୍ସନରେ। ସୂଚନା ଅନୁଯାୟୀ, ବନ ସୂରକ୍ଷା ସମିତି ପକ୍ଷରୁ ଆମପାଣି ସେକ୍ସନ ବନପାଳଙ୍କ ବିଭିନ୍ନ ଦୁର୍ନୀତି ବିରୋଧରେ ଧର୍ମଗଡ ରେଞ୍ଜ ଅଫିସର ଠାରୁ ଆରମ୍ଭ କରି ଆଞ୍ଚଳିକ ବନ ସଂରକ୍ଷକଙ୍କୁ ଅନେକ ଥର ଅଭିଯୋଗ କରିଥିଲେ। କିନ୍ତୁ ବନପାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଆଜି ଆମପାଣି ବନପାଳ ଜଗନ୍ନାଥ ନାଗ ଶ୍ରମିକ ମାନଙ୍କ ପାରିଶ୍ରମିକ ଟଙ୍କା ହଡପ କରିଥିବା ନେଇ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବନ ସୁରକ୍ଷା ସମିତି ।
ପୂର୍ବରୁ ଧର୍ମଗଡ ରେଞ୍ଜ ଅଫିସର ଜାନୁଆରୀ ମାସ ଶେଷ ସୁଦ୍ଧା ଶ୍ରମିକଙ୍କ ସମସ୍ତ ପାରିଶ୍ରମିକ ପାଉଣା ଦେବା ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ। ହେଲେ ଶ୍ରମିକ ନିଜ ପାରିଶ୍ରମିକ ପାଉଣା ଆଜି ପର୍ଯ୍ୟନ୍ତ ପାଇ ନଥିବା ଅଭିଯୋଗ ହୋଇଛି। ତେବେ ଆମପାଣି ବନପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଅନ୍ୟତ୍ର ବଦଳି କରିବାକୁ ଦାବା ହୋଇଛି । ଏଥିସହ ଶ୍ରମିକଙ୍କ ପ୍ରାପ୍ୟ ଦାବିରେ ଆସନ୍ତା ସୋମବାର ଦିନ ବନପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ବନ ସୁରକ୍ଷା ସମିତି ।
କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ