କଳାହାଣ୍ଡି: ଚାଷୀଙ୍କ ପାଇଁ କାଳ ସାଜିଛି ଚକଡା ପୋକ । ସୁବର୍ଣ୍ଣପୁର ପରେ କଳାହାଣ୍ଡିରେ ଫସଲ ଜାଳିଲେ ଚାଷୀ । କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକର କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖଗେଶ୍ବର ଭୋଇ ନାମକ ଜଣେ ଚାଷୀ ଧାର କରଜ କରି 2 ଏକର ଜମିରେ ଧାନ ଚାଷ କରିଥିଲେ । କିନ୍ତୁ ଫସଲ ଅମଳ ସମୟରେ ଚକଡା ମାଡି ଯିବାରୁ ଋଣ ଭାରକୁ ନେଇ ସେ ମାନସିକ ଚାପରେ ରହୁଥିଲେ । ଯାହାର କ୍ଷୋଭ ପ୍ରକାଶ କରି ଶେଷରେ ସେ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି ।
ତେବେ ଫସଲ ଆରମ୍ଭରୁ ସମସ୍ତ କୀଟ ନାଶକ ବ୍ୟବହାର କରିଥିବା ସତ୍ତ୍ବେ ଫସଲ ହାନୀ ହୋଇଥିବାର ଅଭିଯୋଗ ହୋଇଛି । ଏପରିକି ବାରମ୍ବାର ଏଭଳି କ୍ଷତି ସହିବା ଦ୍ବାରା ଆଗାମୀ ଦିନରେ ଆତ୍ମହତ୍ୟାକୁ ଆପଣେଇବେ ବୋଲି କହିଛନ୍ତି ଚାଷୀ ।
ସେପଟେ ଜମିରେ ନିଆଁ ଲଗାଇବା ଦ୍ବାରା କିପରି କ୍ଷୟକ୍ଷତିରେ ଆକଳନ କରିବେ ରାଜସ୍ବ ଓ କୃଷି ବିଭାଗ । ଖଗେଶ୍ବରଙ୍କୁ କିପରି ସହାୟତା ମିଳିବ ତାହା ଦେଖିବାକୁ ରହିଲା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ