ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡପ ମାମଲା । ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକ ଗୋଟିଏ ମାସର ଦରମାକୁ ଜାଲିଆତି କରି ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଫେରାର ହୋଇଯାଇଛନ୍ତି । ଏନେଇ ଏକ୍ସକେଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ତଦନ୍ତ ଜାରି ରଖିଛି ଜିଲ୍ଲା ଶିକ୍ଷା ବିଭାଗ । ନିଜ ଦରମାକୁ ନେଇ ଏବେ ଅନିଶ୍ଚିତତା ମଧ୍ୟରେ ୧୭୧ଜଣ ଏକ୍ସକେଡ଼ର ଶିକ୍ଷକ ।
ସୂଚନା ଅନୁଯାୟୀ, ଘଟଣା କୁ ନେଇ ନିଜପଟୁ ମାମଲା ରୁଜୁ କରି ଅବସର ପ୍ରାପ୍ତ ତତ୍କାଳୀନ ବିଇଓ ଜଗନ୍ନାଥ ପୁରୋହିତ, କାର୍ଯ୍ୟରତ ବିଇଓ ଠାକୁର ଚନ୍ଦ୍ର ସାହୁ ବିଆରସି ଜୟ କୁମାର ମାଝୀଙ୍କୁ ବାରମ୍ବାର ଜେରା କରିଛି ଭିଜିଲାନ୍ସ ବିଭାଗ । ଏହାସହ ଜଣେ ମାଜିଷ୍ଟ୍ରେଟ ଓ ଭିଜିଲାନ୍ସ ବିଭାଗ ସମେତ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଗତ ୧୨ ତାରିଖରେ ସୁଚିସ୍ମିତାଙ୍କ ଚ୍ୟାମ୍ବରରେ ଥିବା ଦୁଇଟି ଆଲମାରୀକୁ ଖୋଲି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ଜବତ କରାଯାଇଛି । ଏଥିସହ ସୁଚିସ୍ମିତାଙ୍କ ଭବାନୀପାଟଣା ସହରର ଇରିଗେସନ କଲୋନୀର ୧୫ ନମ୍ବର ଲେନ୍ରେ ଥିବା ୪ମହଲା ବିଶିଷ୍ଟ ଘରକୁ ସିଲ କରିଛି ଭିଜିଲାନ୍ସ ବିଭାଗ । ସେପଟେ ସୁଚିସ୍ମିତାଙ୍କ ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।
କିନ୍ତୁ ଦରମା ନ ପାଇ ଏବେ ଅନିଶ୍ଚିତତା ମଧ୍ୟରେ ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକଙ୍କୁ ଯଥାଶୀଘ୍ର ଦରମା ପ୍ରଦାନ, ମୃତ ଶିକ୍ଷକଙ୍କ ପରିବାରକୁ ଜିଆଇଏସ ଏବଂ DEATH GRATUITY ପ୍ରଦାନ, ଗଣ ଶିକ୍ଷକଙ୍କ EPF SHEAR ତାଙ୍କ ଆକାଉଣ୍ଟରେ ଜମା କରିବା ସହ ସମଗ୍ର ଶିକ୍ଷା ଅଭିଯାନରୁ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ଦାବି ଅନେଇ ଆଜି ଜିଲ୍ଲା ଏକ୍ସକେଡ଼ର ଶିକ୍ଷକ ସଂଘ ପକ୍ଷରୁ ଭବାନୀପାଟଣା ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛି ସଙ୍ଘ ।
ସୂଚନା ଯୋଗ୍ୟ ଯେ, ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ଜିଲ୍ଲା ପୋଲିସ । ଆଜି ପର୍ଯ୍ୟନ୍ତ ପୋଲିସ ସୂଚୀସ୍ମିତାଙ୍କୁ ଧରିବାରେ ସଫଳ ହୋଇନଥିବା ବେଳେ ତାଙ୍କ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ବୁଧବାର ଏହି ଘଟଣା ନେଇ ଟାଉନ ଥାନା ପୋଲିସ ୩ଜଣଙ୍କୁ ରାତି ଅଧିଆ ଉଠାଇ ଆଣିଥିଲା । ଏହାପରେ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଅର୍ଥ ହେରାଫେରରେ ସମ୍ପୃକ୍ତି ଥିବା ଜାଣି ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଗିରଫ କରାଯାଇଥିବା ୩ ଜଣ ହେଉଛନ୍ତି ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କ ଭିଣେଇ ବରଗଡ଼ ଅମ୍ବାପାଲିର ଗଙ୍ଗାଧର ପୁଝାରୀ ଓ ଦୁଇଜଣ ସହଯୋଗୀ ଭବାନୀପାଟଣା ସହରର ଶିକ୍ଷକ ଗୋପାଳକୃଷ୍ଣ ଦାସ ଓ ପୂର୍ଣ୍ଣଶଶି ମହାନ୍ତି । ଏହି ୩ ଜଣ ସୁଚିସ୍ମିତାଙ୍କ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତି ଥିବା ନେଇ ପୋଲିସ ସୁରାକ୍ ପାଇଥିଲା ।
ଇଟିଭି ଭାରତ, କଳାହାଣ୍ଡି