ଭବାନୀପାଟଣା: ନଦୀରେ ଭାସିଗଲେ ୭୫ ବର୍ଷୀୟ ବୃଦ୍ଧ । ଗାଈ ଚରାଇ ସନ୍ଧ୍ୟା ସମୟରେ ଗାଁକୁ ଫେରିବା ସମୟରେ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ ହୋଇଛନ୍ତି (Elderly man drowns in kalahandi) । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଯୋଡାବନ୍ଧ ଗ୍ରାମରେ । ଖବର ପାଇ ଘଟଣାସ୍ଥଳରେ ସନ୍ଧାନ ଜାରି ରଖିଛି ଓଡ୍ରାଫ ଟିମ ।
ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ସମୟରେ ଯୋଡାବନ୍ଧ ଗାଁର ୭୫ ବର୍ଷୀୟ ବୃଦ୍ଧ ସାନନ୍ଦ ଗଡତିଆ ସକାଳୁ ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ଆର ପାରିକୁ ଗାଁର ଅନ୍ୟ ୫ ଜଣ ଗାଈ ଚରାଳିଙ୍କ ସହ ଗାଈ ଚରାଇବା ପାଇଁ ଯାଇଥିଲେ । ଫେରିବା ସମୟରେ ସାନ୍ଦୁଲ ନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଗାଈଗୋଠ ସହିତ ୫ ଜଣ ଗାଈ ଚରାଳି ନଦୀରେ ପାରି ହୋଇ ଗାଁକୁ ଚାଲି ଆସିଥିଲେ । କିନ୍ତୁ ଶେଷରେ ଆସୁଥିବା ସାନନ୍ଦ ଗଡତିଆ ପ୍ରଖର ବନ୍ୟା ଜଳରେ ଭାସି ଯାଇଥିବା ଜଣାପଡ଼ିଛି ।
ଖବର ପାଇ ପରିବାର ଓ ଗ୍ରାମବାସୀ ନଦୀ କୂଳରେ ପହଞ୍ଚି ଅନେକ ଖୋଜାଖୋଜି ପରେ ମଧ୍ୟ ନପାଇବାରୁ ଶେଷରେ ଓଡ୍ରାଫ ଟିମକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି ।
ଇଟିଭି ଭାରତ, କଳାହାଣ୍ଡି