ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରୁ ପ୍ରତ୍ୟେକ ବର୍ଷ ଚାଷ କାମ ପାଇଁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇଥାଏ । ଚଳିତ ବର୍ଷ ଖରିପ ଚାଷ ପାଇଁ ଜଳସେଚନର ଅବଧି ସରି ଆସୁଥିବାବେଳେ ରବି ଚାଷ ସମୟରେ ଜଳ ଯୋଗାଣ ପାଇଁ ଚିଠା ପ୍ରସ୍ତୁତ ଆରମ୍ଭ ହୋଇଛି । ହେଲେ ବ୍ଲକର ଅନେକ ଗାଁକୁ କେନାଲ ପାଣି ବନ୍ଦ ହେବା ନିଷ୍ପତ୍ତିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଚାଷୀ ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜିଲ୍ଲାର ଅନେକ ଅଞ୍ଚଳର ଚାଷୀ ଏହା ଉପରେ ନିର୍ଭର କରି ଚାଷ କରିଥାନ୍ତି । ତେବେ ପାଣି ଅଭାବ ଓ କେନାଲ ଭାଙ୍ଗି ଯାଇଥିବା ଯୋଗୁଁ ଗତ ଦୁଇ ବର୍ଷ ହେଲା ଜିଲ୍ଲାର ଧର୍ମଗଡ଼ ବ୍ଲକକୁ କେନାଲ ଯୋଗେ ଜଳ ଯୋଗାଣ ବନ୍ଦ ଥିଲା । ଚାଷୀଙ୍କ ଦାବି ପରେ ଚଳିତ ବର୍ଷ ଧର୍ମଗଡ଼ ଅଞ୍ଚଳକୁ ପୁଣିଥରେ ପାଣି ଛାଡିବା ପାଇଁ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଯେଉଁଥିରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ କୁସୁମଖୁଣ୍ଟି ଡିଭିଜନ ୧ରୁ ୧୩୨ଟି ଗାଁର ୨୭ ହଜାର ୫୦୦ ହେକ୍ଟର ଚାଷ ଜମିକୁ କେନାଲ ପାଣି ଛଡା ଯିବ ।
ଏହାସହ ଧର୍ମଗଡ଼ ଡିଭିଜନ ୨ ରୁ ୧୧ ଟି ଗାଁର ୩ ହଜାର ୧୪ ହେକ୍ଟର ଜମିକୁ ଜଳ ଯୋଗାଣ ହେବ । ତେବେ ଆବଶ୍ୟକତା ଠାରୁ କମ ପାଣି ଯୋଗୁଁ ଅନ୍ୟ ଅଞ୍ଚଳକୁ ପାଣି ଛଡାଯିବ ନାହିଁ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଏହାଫଳରେ ବ୍ଲକର ଚିଲଚିଲା, ତେନ୍ତୁଳିଆପଡା, ତେଲିପଲସ ଆଦି ଗାଁ କେନାଲ ପାଣିରୁ ବଞ୍ଚିତ ହେବାକୁ ଥିବାବେଳେ ଏହାକୁ ବିରୋଧ କରିଛନ୍ତି ଚାଷୀ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ପ୍ରତିବାଦ ସ୍ବରୂପ ଚାଷୀ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗତ ଦୁଇ ବର୍ଷ ହେଲା ପାଣି ଛଡାଯାଇ ନଥିବାବେଳେ ଉକ୍ତ ସମୟରେ କାହିଁକି କେନାଲ ମରାମତି କରାଗଲା ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି