ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଦାଦନ । ଏଠାରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରୁ କିଏ ଘରକୁ ମୃତ୍ୟୁପରେ ଫେରୁଛି ତ କିଏ ବିକଳାଙ୍ଗ ହୋଇ ଫେରୁଥିବା ନଜର ରହିଛି । ଏପରି ଆଉ ଜଣେ କୋକସର ବ୍ଲକ ଅନ୍ତର୍ଗତ ସିଉନି ଗାଁରେ ଜଣେ ଶ୍ରମିକ ଯିଏକି ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇଥିଲେ ତାଙ୍କର ମୃତଦେହ ଆସି ଘରେ ପହଞ୍ଚିଛି ।
ମିଳିଥିବା ସୂଚନା ଅନୁସାରେ ସିଉନି ଗାଁର ଗଜେନ୍ଦ୍ର ନାଏକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ବେଙ୍ଗାଲୁରୁ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ ଏକ ଠିକା ସଂସ୍ଥାରେ ଘର ନିର୍ମାଣ କାମରେ ଶ୍ରମିକ ଭାବରେ କାମ ମଧ୍ୟ ପାଇଥିଲେ । ହେଲେ ହଠାତ କାମ କରିବାକୁ ଯାଉଥିବା ସମୟରେ ରେଳ ଲାଇନ ପାରି ହେଉଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।
ଗଜେନ୍ଦ୍ରଙ୍କ ସହ କାମ କରୁଥିବା ଅନ୍ୟ ଶ୍ରମିକ ସମ୍ପୃକ୍ତ ଠିକ ସଂସ୍ଥାକୁ ଯୋଗାଯୋଗ କରିବା ପରେ ଠିକା ସଂସ୍ଥା ପକ୍ଷରୁ ଗାଁକୁ ଗଜେନ୍ଦ୍ରଙ୍କ ମୃତଦେହ ଅଣାଯାଇଛି । ପରିବାରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ନେଇ ବୃଦ୍ଧ ବାପା ମା ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି । ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁ ଥିବା ବେଳେ ଏପଟେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ