କଟକ: ବହୁଚର୍ଚ୍ଚିତ ମହାଙ୍ଗା ଡବଲ ମର୍ଡର ମାମଲାରେ ବଢିଲା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡୁଆ । ମୃତ କୁଳମଣି ବିଶ୍ବାଳଙ୍କ ପୁଅ ରଞ୍ଜିତ ବିଶ୍ବାଳ କରିଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ 4 ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ପୂର୍ବରୁ ହାଇକୋର୍ଟ ଏହି ମାମଲାରେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇସାରିଥିବା ବେଳେ ଏବେ ପ୍ରତାପ ପୁଣି ଥରେ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି ।
- 13 ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ
2021 ରେ ଘଟିଥିବା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ମୋଟ 13 ଜଣ ଅଭିଯୁକ୍ତ ଥିବା ବେଳେ ତତ୍କାଳୀନ ମନ୍ତ୍ରୀ ତଥା ତତ୍କାଳୀନ ମାହାଙ୍ଗା ବିଧାୟକ ପ୍ରତାପ ଜେନା 13ତମ ଅଭିଯୁକ୍ତ ତାଲିକାରେ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ତାଙ୍କ ନାମକୁ ମାମଲାରେ ବାଦ ଦେଇଥିଲା । ଯାହାକୁ ନେଇ ବିବାଦ ଦେଖାଯାଇଥିଲା । ଶାସକ ଦଳ ଓ ପ୍ରତାପଙ୍କ ପ୍ରଭାବରେ ତଦନ୍ତ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସ୍ଥାନୀୟ କୋର୍ଟ ପ୍ରତାପଙ୍କ ନାମ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବହୁଚର୍ଚ୍ଚିତ ମାମଲାରେ ପ୍ରତାପ ଜେନା ତଦନ୍ତର ସମ୍ମୁଖୀନ ହେବେ ବୋଲି 2023 ମସିହା ସେପ୍ଟେମ୍ବର 25 ତାରିଖରେ ସାଲେପୁର ‘ଜେଏମଏଫସି’ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
- ହାଇକୋର୍ଟରୁ ମିଳିଥିଲା କ୍ଲିନଚିଟ୍
ଉକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନର ପ୍ରାରାମ୍ଭିକ ଶୁଣାଣି କରି ହାଇକୋର୍ଟ ‘ଜେଏମଏଫସି’ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ । ଗତବର୍ଷ ଅକ୍ଟୋବର ମାସ 1 ତାରିଖରେ ହାଇକୋର୍ଟ ତାଙ୍କ ରାୟ ପ୍ରକାଶ କରିନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରି ପ୍ରତାପଙ୍କୁ କ୍ଲିନଚିଟ୍ ଆଧାରରେ ବଡ ଆଶ୍ବସ୍ତି ଦେଇଥିଲେ ।
- ମାମଲା ସମ୍ପର୍କରେ...
୨୦୨୧ ମସିହା ଜାନୁଆରୀ 2 ତାରିଖରେ ଏହି ବହୁଚର୍ଚ୍ଚିତ ଡବଲ ମର୍ଡର ଘଟିଥିଲା । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ରାସ୍ତା ମଝିରେ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା । ଏଥିରେ ତତ୍କାଳୀନ ସ୍ଥାନୀୟ ବିଧାୟକ ତଥା ସେତେବେଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ଥିବା ଅଭିଯୋଗ ଆସିଥିଲା । ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ପ୍ରତାପ ଜେନାଙ୍କୁ ୧୩ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ ।
- କଣ କହିଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ.
ଯାହାକୁ ଚ୍ୟାଲେଞ୍ଜ କରି ପ୍ରତିପକ୍ଷ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିଲେ । ସେପଟେ ମାହାଙ୍ଗାର ବର୍ତ୍ତମାନର ବିଧାୟକ ଶାରଦା ପ୍ରଧାନ କହିଛନ୍ତି ଏହା ମାହାଙ୍ଗା ପାଇଁ ଦୁର୍ଭାଗ୍ୟର ଘଟଣା । ଆଇନି ତା ବାଟରେ ଯିବ ଯିଏ ଦୋଷ କରିଥିବ ନିଶ୍ଚିନ୍ତ ଦଣ୍ଡ ପାଇବ୍ ।
ଇଟିଭି ଭାରତ, କଟକ