ଭବାନୀପାଟଣା: ସମୟ ସହ ଧିରେ ଧିରେ ରାଜ୍ୟରେ ଭୟାବହ ହେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଥିରେ ସ୍ଥାନୀୟ ସଂକ୍ରମଣର ମାତ୍ରା ବଢୁଥିବାରୁ ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ସେପଟେ ସାଧାରଣ ଲୋକେ ବି ଏବେ ଭୟଭୀତ ।
ସୂଚନା ଅନୁଯାୟୀ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ପୁଣି 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭବାନୀପାଟଣା ଅଞ୍ଚଳରୁ 5 ଜଣ ଆକ୍ରାନ୍ତ ରହିଥିବା ବେଳେ କେସିଙ୍ଗା ଅଞ୍ଚଳରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି। ସଦ୍ୟ ଚିହ୍ନଟ ଏସମସ୍ତ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1137ରେ ପହଞ୍ଚିଥିବା ବେଳେ ଏଯାବତ୍ 465 ଜଣ ସୁସ୍ଥ ହୋଇସାରିଛନ୍ତି । ଏଥିସହ 672ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ