ଭବାନୀପାଟଣା: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁରେ କ୍ୟାଣ୍ଡେଲ ଶୋଭାଯାତ୍ରା । ଗତକାଲି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କର୍ଲାଖୁଣ୍ଟା ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଭବାନୀପାଟଣାରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରାରେ ସାମ୍ବାଦିକ, ସମାଜସେବୀ, ଶିକ୍ଷାବିତ ଓ ଜନ ସାଧାରଣ ସାମିଲ ହୋଇଥିଲେ ।
ତେବେ ଆଜିର ଏହି ଶୋଭାଯାତ୍ରା ଷ୍ଟାଚୁ ଛକରୁ ବାହାରି ସହର ପରିକ୍ରମା ପରେ ଗାନ୍ଧୀ ଛକରେ ରୋହିତ ବିଶ୍ବାଳଙ୍କ ସ୍ମୃତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ଶହୀଦର ମାନ୍ୟତା ଦେବା ପାଇଁ ଦାବି ହୋଇଛି । ସେହିପରି ରୋହିତଙ୍କ ଜନ୍ମମାଟି ମୋହନଗିରିରେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ