କଳାହାଣ୍ଡି : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କର ରଣ ନୀତି ମଧ୍ୟ ସେତିକି ପ୍ରସ୍ତୁତ ହେଉଛି ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଶାଳ ସଭା ଆୟୋଜନ କରିବାର ଗୋଟିଏ ମାସ ପରେ ବିଜେଡି ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛି । ହଜାର ହଜାର ଯୁବକଙ୍କୁ ନେଇ ବାଇକ୍ ଶୋଭାଯାତ୍ରା କରିବା ସହ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରିଛି । ଏହାକୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକର ନାମ ଦେଇ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଭବାନୀପାଟଣା ଟାଉନ ହଲ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ସୂଚନାଯୋଗ୍ୟ ଆଜି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ହିଲ୍ ଟାଉନ ପରିସରରୁ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରୁ ଶୋଭାତ୍ରା ବାହାରି ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଟାଉନ୍ ହଲଠାରେ ପହଞ୍ଚିଥିଲେ । ପରେ ସେଠାରେ ଅନୁଷ୍ଟିତ ହୋଇଥିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧକ୍ଷତାରେ ଅନୁଷ୍ଟିତ ବୈଠକରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଯୋଗ ଦେଇଥିବା ବେଳେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧ୍ୟାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୌଶଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମସ୍ତ ବ୍ଲକର ଅଧକ୍ଷଙ୍କ ସମେତ ସମସ୍ତ ପୂର୍ବତନ୍ ବିଧାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ହଜାର ହଜାର ବିଜେଡି କର୍ମୀ ସାମିଲ ହୋଇଥିଲେ । ଏହାସହ ଅସନ୍ତୁଷ୍ଟ ବିଜେପି ଓ କଂଗ୍ରେସର ୨୦୦ ସହ କର୍ମୀ ବିଜେଡିରେ ଯୋଗ ଦାନ କରିଥିବା । ସେମାନଙ୍କୁ ଦଳ ପକ୍ଷରୁ ସ୍ଵାଗତ ସମ୍ବର୍ଦଧନା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ....ଉତ୍କେଲା ବିମାନ ବନ୍ଦରକୁ ଗ୍ରୀନ ସିଗନାଲ, ଆକାଶ ଛାତି ଚିରି ଉଡ଼ିବେ କଳାହାଣ୍ଡି ବାସିନ୍ଦା
ଏହାସହ ଆସନ୍ତା ନିର୍ବାଚନ ସମୟରେ କିଭଳି ଦଳ ପାଇଁ କାର୍ଯ୍ୟ କରାଯିବ ସେନେଇ ଆଲୋଚନା ହୋଇଥିଲା । ତୃଣମୂଳ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବା ସହ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ । ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ କର୍ମୀମାନଙ୍କୁ ଗୁରୁର୍ମନ୍ତ୍ର ଦେଇଥିଲେ ପର୍ଯ୍ୟବେକ୍ଷକ । ଘରକୁ ଘର ଯାଇ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ, ଅଞ୍ଚଳର ସମସ୍ୟାର ସମାଧାନ ଓ ବିକାଶର ଚିହ୍ନ ଶଙ୍ଖକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନେଇ ନିଜ ବକ୍ତବ୍ୟରେ କର୍ମୀଙ୍କୁ ଆହ୍ୱାନ କରିଥିଲେ ପ୍ରଣବ ବଳବନ୍ତରାୟ ।
ଇଟିିଭି ଭାରତ, କଳାହାଣ୍ଡି