କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦେପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । 2 ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ 2 ବାଇକ ଆରୋହୀ ମୃତ । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ୨୧ ବର୍ଷୀୟ ଯୁବକ କୁନା ମାଝୀ କୌଣସି କାମରେ ଛତିକୁଡ଼ାକୁ ଯାଉଥିବା ବେଳେ ସେହି ଗାଁର ୧୯ ବର୍ଷୀୟ ଯୁବକ ବୌକୁଣ୍ଠ ଗୌଡ଼ ଛତିକୁଡ଼ାରୁ ଗ୍ରାମକୁ ବାଇକରେ ଫେରୁଥିଲେ । ଏହି ସମୟରେ ଦେପୁର ଛକ ନିକଟରେ ଉଭୟଙ୍କ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 2 ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଅନ୍ୟପଟେ କଳାହାଣ୍ଡି ସଦର ଥାନା ପୋଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇଛି । ଏଥିସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ନୂଆଁଖାଇ ବାସି ପାଳନ ପାଇଁ ସାରା ପଶ୍ଚିମଓଡ଼ିଶା ଉତ୍ସବମୁଖର ଥିବା ବେଳେ ଗୋପୀନାଥପୁର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ଖୁସିର ମାହୋଲ ମଧ୍ୟରେ 2 ଯୁବକଙ୍କ ମୃତ୍ୟୁକୁ ନେଇ ପରିବାରଲୋକେ ସ୍ତବ୍ଧ ହୋଇଯାଇଛନ୍ତି ।
ଏହାମଧ୍ୟ ପଢନ୍ତୁ..ଫୁଟବଲ ମ୍ୟାଚ୍ ଦେଖିବାକୁ ଯାଇ ଫେରିଲାନି ପୁଅ, ବାଇକ ଦୁର୍ଘଟଣାରେ 2 ମୃତ
ସେହିଭଳି ଗତ ଗୁରୁବାର ଦିନ ଅପରାହ୍ନ 3ଟା ବେଳେ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଛକଠାରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି । ବାରକୋଟ ବ୍ଲକ ବଲାଣି ଗ୍ରାମର କ୍ଷୀରୋଦ ସାହୁଙ୍କ ପୁଅ ଚିନ୍ତାମଣି ସାହୁ ଓ ଦୁଆରୀ ପ୍ରଧାନଙ୍କ ପୁଅ ସନ୍ତୁ ପ୍ରଧାନ ଉଭୟେ ଏକ ବାଇକ ଯୋଗେ ମରଡ଼ଙ୍ଗ ଗ୍ରାମକୁ ଫୁଟବଲ ମ୍ୟାଚ ଦେଖିବା ପାଇଁ ଯାଉଥିଲେ ।
ସେହି ସମୟରେ 23 ନମ୍ୱର ରାଜପଥ ନିକଟ ମରଡଙ୍ଗ ଛକଠାରେ ବଣେଇ ପଟୁ ବାରକୋଟ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବାରକୋଟ ଟିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିନ୍ତାମଣି ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ସନ୍ତୁ ପ୍ରଧାନଙ୍କୁ ଦେବଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, କଳାହାଣ୍ଡି