ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଏକ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକ ଦୁଷ୍କର୍ମ କରୁଥବା ଅଭିଯୋଗ ହୋଇଥିଲା । ତେବେ ସେ ବିବାହ ପ୍ରଲୋଭନ ଦେଖାଇ ଦୀର୍ଘ 2 ବର୍ଷ ଧରି ଦୁଷ୍କର୍ମ କରୁଥିଲା । ତେବେ ଅଭିଯୁକ୍ତକୁ ଗିରଫ କରି ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।
ମଦନପୁର ରାମପୁର ଥାନାରେ ଉକ୍ତ ଅଭିଯୁକ୍ତ ଶିକ୍ଷକ ବିରୋଧରେ ମାର୍ଚ୍ଚ ମାସ 13 ତାରିଖରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ 1 ମାସ ପୂରିବାକୁ ବସିଥିବା ବେଳେ ପୋଲିସ ଶିକ୍ଷକକୁ ଗିରଫ କରିବାରେ ବିଫଳ ହୋଇଛି । ତେବେ ଅଭିଯୁକ୍ତ ଶିକ୍ଷକକୁ ତୁରନ୍ତ ଗିରଫ କରି ପୀଡିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବି କରି ଶୁକ୍ରବାର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପ୍ରଥମେ ଜିଲ୍ଲା କଂଗ୍ରେସ ମଦନପୁର ରାମପୁରଠାରେ ଥିବା ଚାରିଛକଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମଦନପୁର ରାମପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲା । ଯଥାଶୀଘ୍ର ଅଭିଯୁକ୍ତ ଶିକ୍ଷକକୁ ଗିରଫ ନ କରାଗଲେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ବନ୍ଦ ଡାକରା ଦେବ ବୋଲି ଚେତାବନୀ ଦିଆଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ