ଭବାନୀପାଟଣା: ସରକାରଙ୍କ ଟଙ୍କିକିଆ ଚାଉଳ ପାଇଁ ୬ ଘଣ୍ଟାର ଯାତନା ଭୋଗିଲେ ହିତାଧିକାରୀ । ଚାଉଳ ଆଣିବାକୁ ଯାଇ ବନ୍ୟାପାଣି ଫସି ରହିଲେ ଏମାନେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ସାମ୍ନାକୁ ଆସିଛି ଏପରି ଦୃଶ୍ୟ ।
କଳାହାଣ୍ଡିର ଦୁର୍ଗମ ଅଞ୍ଚଳ ଆମପାଣି ପଞ୍ଚାୟତ । ଏହି ପଞ୍ଚାୟତର ଅଧିକାଂଶ ଗାଁ ବେଶ ଦୁର୍ଗମ ହୋଇଥିବା ବେଳେ ବର୍ଷା ଦିନରେ ଏମାନଙ୍କ ସମସ୍ୟା କହିଲେ ନ ସରେ । କୋକସରା ବ୍ଲକ ଅଧୀନରେ ଥିବା ଏହି ପଞ୍ଚାୟତର କୂଟ୍ରୃ ଗାଁ ଲୋକେ ପିଡ଼ିଏସ ଚାଉଳ ପାଇଁ କେତେ ଯେ ସମସ୍ୟାର ସମ୍ମୁଖିନ ହୁଅନ୍ତି, ତାହା ଏ ଏଭଳି ଦୃଶ୍ୟରୁ ସ୍ପଷ୍ଟ ହେଉଛି । ଗାଁଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ପଞ୍ଚାୟତ ମୁଖ୍ୟାଲୟ ଥିବା ବେଳେ ପିଡ଼ିଏସ ସାମଗ୍ରୀ ପାଇଁ ହିତାଧିକାରୀମାନେ ରାସ୍ତାର ବଭିନ୍ନ ନାଳ ପାରି ହୋଇ ବୁଧୁବାର ପଞ୍ଚାୟତ କାର୍ଯ୍ୟଳୟକୁ ଆସିଥିଲେ । ହେଲେ ଫେରିବା ବାଟରେ ନାଳ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ଭୋକ ଓପାସରେ ପ୍ରାୟ ୬ ଘଣ୍ଟା କାଳ ଫସି ରହିଥିଲେ ଏମାନେ ।
ଗ୍ରାମାଞ୍ଚଳର ବିକାଶ ସହ ଏକ ସୁନ୍ଦର ଓଡିଶା ଗଠନରେ ସରକାର ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ସବୁ ନେଉଛନ୍ତି । ହେଲେ ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ସରକାରଙ୍କ କେବେ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ