କଳାହାଣ୍ଡି: ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅନାମ ନାଏକ । ଗତ 17 ତାରିଖ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବାସଭବନରେ ଚଢାଉ କରିଥିଲା । ଏନେଇ ଗୁରୁବାର କଳାହାଣ୍ଡି ଜିଲ୍ଲା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ପରେ 7 ଦିନ ପାଇଁ ତାଙ୍କୁ ରିମାଣ୍ଡରେ ରଖାଯାଇଛି ।
ଚଢାଉରେ ଅନାମ ନାଏକଙ୍କ ଠାରୁ ମୋଟ 3 କୋଟି 42 ଲକ୍ଷ 402 ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍ । ଅନାମ ନାଏକ 2014 ସାଧାରଣ ନିର୍ବାଚନରେ ଭବାନୀପାଟଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ 2016 ମସିହାରେ ବିଧାୟକ ଭାବେ ଖଣି ଲିଜ ପାଇଁ ଲାଞ୍ଚ ଦାବି କରୁଥିବା ଷ୍ଟିଙ୍ଗ ଅପରେସନରେ ଧରା ପଡିଥିଲା ।
ଯାହା 2019ରେ ତାଙ୍କ ଟିକେଟ କଟିବାର ମୁଖ୍ୟ କାରଣ ସାଜିଥିଲା । ଗିରଫ ପରେ ତାଙ୍କୁ ଗୁରୁବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଅନାମଙ୍କ ଓକିଲ ବେଲ ପାଇଁ ଆବେଦନ ବି କରିଥିଲେ । ହେଲେ ବିଚାରପତି ତାଙ୍କର ପିଟିସନ ଖାରଜ କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ