ଭବାନୀପାଟଣା: ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କ ପ୍ରାପ୍ୟ ହଡ଼ପ ହୋଇଥିବା ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୁନାଗଡ଼ରୁ ଏଭଳି ଅଭିଯୋଗ ଆସିଛି । ତେବେ ବର୍ଷେ ହେଲା କାର୍ଯ୍ୟ କରିଥିବା ଶ୍ରମିକଙ୍କ ମଜୁରୀ ମିଳି ନଥିବା ବେଳେ ଫରେଷ୍ଟ ଗାର୍ଡଙ୍କ ଅନ୍ୟତ୍ର ବଦଳି ଯୋଗୁଁ ୪୦ ଜଣ ଗରିବ ଶ୍ରମିକଙ୍କ ପ୍ରାପ୍ୟ ପାଇବାରେ ଅନିଶ୍ଚିତତା ଦେଖିବାକୁ ମିଳିଛି ।
ତେବେ ଜିଲ୍ଲା ଜୁନାଗଡ଼ ରେଞ୍ଜ ଅଧୀନରେ ଥିବା ଜାରିଙ୍ଗ କେନ୍ଦ୍ରୀୟ ନର୍ସରୀରେ ଗତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ଜୁନାଗଡ଼ ବ୍ଲକର ବକ୍ସିତୁଳସୀପାଲି ଗ୍ରାମର ପ୍ରାୟ ୪୦ ଜଣ ମହିଳା ଶ୍ରମିକ ଚାରା ଉତ୍ପାଦନ କାର୍ଯ୍ୟରେ କାର୍ଯ୍ୟ କରିଥିଲେ । ଏହି ଶ୍ରମିକମାନଙ୍କୁ ପ୍ରତିଦିନ ହିସାବରେ ୨୨୨ ଟଙ୍କା ପ୍ରଦାନ କରାଯାଉଥିଲା । ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ବେଳେ ସେମାନେ ଗତ ବର୍ଷ ଜୁନ ମାସରୁ ନର୍ସରିରେ କାମ ନକରି ନିଜ ଗାଁ ପଞ୍ଚାୟତର ମନରେଗା କାର୍ଯ୍ୟରେ ନିୟୋଜିତ ରହିଥିଲେ । କେଉଁ ଶ୍ରମିକ ଏକ ମାସର ପ୍ରାପ୍ୟ ପାଇ ନଥିବା ବେଳେ ଆଉ କିଏ କୋଡ଼ିଏ ଦିନର ପ୍ରାପ୍ୟ ପାଇ ନାହାନ୍ତି । ଏଭଳି ଭାବରେ ୪୦ ଜଣଙ୍କ ମନରେଗା ଯୋଜନାରେ କାମ କରିଥିବା ଟଙ୍କାଙ୍କୁ ଚଞ୍ଚକତା କରି ହେରଫେର କରି ଦେଇଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ -ଚାଷୀଙ୍କ ସବସିଡି ଟଙ୍କା ହଡ଼ପ ଅଭିଯୋଗ, ବିଧାୟକଙ୍କ ଗିରଫ ଦାବିରେ ରେମୁଣା ବନ୍ଦ କଲା ବିଜେପି
ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ଏହି ଝାଳବୁହା ଟଙ୍କା ପାରିବାରିକ ପେଟପାଟଣା ପାଇଁ ବହୁ ଗୁରୁତ୍ୱ ବହନ କରୁଥିବା ବେଳେ ତତ୍କାଳୀନ ଫରେଷ୍ଟର ସକିଲ ଖାଁ ଓ ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର ଚଞ୍ଚକତା କରି ହଡଫ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ତତ୍କାଳୀନ ଫରେଷ୍ଟର ସକିଲ ଖାଁ ଚାକିରିରୁ ଅବସର ନେଇଥିବା ବେଳେ ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର ଆମପାଣି ବିଟ୍କୁ ବଦଳି ହୋଇଥିବା ଜଣାପଡିଛି । ଅନ୍ୟପଟେ ପ୍ରାପ୍ୟ ପାଇବା ଆଶାରେ ଶ୍ରମିକମାନେ ଫରେଷ୍ଟ ବିଟ୍ ହାଉସକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ପରେ ଜୁନାଗଡ଼ ରେଞ୍ଜ ଅଫିସରଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୌଣସି ସୁଫଳ ମିଳି ନାହିଁ । ତେବେ ଶ୍ରମିକମାନେ କେବେ ପ୍ରାପ୍ୟ ପାଇବେ ଏବଂ ଚଞ୍ଚକତା କରିଥିବା ଅଫିସରମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, କଳାହାଣ୍ଡି