ଭବାନୀପାଟଣା: ଚିକିତ୍ସାଧିନ ଅବସ୍ଥାରେ ଅଭିଯୁକ୍ତ ମୃତ । ତେବେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଓଲମା ଗ୍ରାମରେ ଡକାୟତି ଘଟଣାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା କୋକସରା ପୋଲିସ । ତେବେ ପୋଲିସ୍ ଦାୟିତ୍ୱରେ ଥିବା ଅଭିଯୁକ୍ତର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଅଭିଯୁକ୍ତ ଜଣକ ଗମ୍ଭାରୀ ଗୁଡ଼ା ଗାଁର ରୁପେଶ ନାଏକ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ଓଲାମା ଗାଁର ଧନଞ୍ଜୟ ସାହୁଙ୍କ ଘରେ ଗତ ୨୦ ତାରିଖ ଦିନ ବିଳମ୍ବିତ ରାତିରେ ୧୨ ଜଣ ଡକାୟତି ଘର କବାଟ ଭାଙ୍ଗି ପଶିଥିଲେ । ଏଥିସହ ମାରଣାସ୍ତ୍ର ଦେଖାଇ ଘରେ ଥିବା ଆଲମାରିରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇ ଫେରାର ମାରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଡକାୟତକୁ କାବୁ କରିଥିଲେ ଗ୍ରାମବାସୀ। ପରେ ଗ୍ରାମବାସୀ ଅଭିଯୁକ୍ତ ନିର୍ଦ୍ଧୁମ ମାଡ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ।
ତେବେ ଘଟଣାରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ନେତୃତ୍ବରେ କୋକସରା, ଆମପାଣି, କଲମପୁର, ଜୟପାଟଣା,ଜୁନାଗଡ ଥାନା ପୋଲିସର ମିଳିତ ଉଦ୍ୟମରେ ଚଢ଼ାଉ କରି ୪ ଜଣ ଡକାୟତଙ୍କୁ କାବୁ କରାଯାଇଥଲେ । ଏନେଇ ଗତକାଲି( ବୁଧବାର) ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଘଟଣାସ୍ଥଳରୁ ଧରା ପଡିଥିବା ଅଭିଯୁକ୍ତ ରୁପେଶ ନାଏକ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲ ନେଉ ଥିବାବେଳେ ବାଟରେ ତାର ମୃତ୍ୟୁ ହୋଇ ଥିବା ନେଇ ପୋଲିସ ଏସଡିପିଓ ସୂଚନା ଦେଇଛନ୍ତି । ଏନେଇ ଗତକାଲି କୋକସରା ଥାନାରେ ଧର୍ମଗଡ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନାଙ୍କୁ ଧରିବା ପାଇଁ ପୋଲିସର ତନାଘନା ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ- ଅଶୁଭ ସୋମବାର: କାଉଡ଼ିଆଙ୍କ ଅଟୋକୁ ଧକ୍କା ଦେଲା ଟ୍ରଲର, ୩ ମୃତ ୩ ଗୁରୁତର
ଏନେଇ ଧର୍ମଗଡ ଏସଡିପିଓ ଧିରଜ ଚୋପଦାର କହିଛନ୍ତି, "ଗତ ୨୦ ତାରିଖ ରାତିରେ ପ୍ରାୟ ୧୦ ରୁ ୧୨ ଜଣ ଡକାୟତ ଓଲାମା ଗାଁର ଧନଞ୍ଜୟ ସାହୁଙ୍କ ଘର କବାଟ ଭାଙ୍ଗି ଘର ଭିତରେ ପଶିଥିଲେ । ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଘରେ ଥିବା ଆଲମାରିରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଏହି ଘଟଣାରୁ ନେଇ ଆମେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛୁ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ । "
ଇଟିଭି ଭାଡରତ, କଳାହାଣ୍ଡି