ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା । ଏହି ସେବା ମାଧ୍ୟମରେ 17 ଜଣ ବିଶେଷଜ୍ଞ ଡାକ୍ତର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଥିଲେ । ୩ ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୮୩ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ବେଳେ ୧୨ ଜଣ ରୋଗୀଙ୍କ ଅସ୍ତ୍ରୋପଚାର ବିନା ମୂଲ୍ୟରେ କରାଯାଇଛି । ଏହାସହ ପ୍ରତି ମାସରେ ୩ ଦିନ ଏହି ସେବା ଜିଲ୍ଲାବାସୀ ପାଇପାରିବେ ବୋଲି ପ୍ରକାଶ କରିଛନ୍ତି ଆସିଥିବା ଡାକ୍ତରୀ ଟିମ୍ ।
ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଦଦ୍ଭାବନା ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତା, କାର୍ଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ସତ୍ୟ ନାରାୟଣ ରାଉତ, ଆନାସ୍ତିଆଲୋଜି ସ୍ପେଶାଲିଷ୍ଟ ଡାକ୍ତର ଦେବ ପ୍ରସାଦ ମହାନ୍ତି, ନ୍ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ଅଶୋକ ମଲ୍ଲିକ, ନେଫ୍ରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ବିବେକାନନ୍ଦ କର ସାମିଲ ହୋଇଥିଲେ ।
ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତା କହିଥିଲେ ଯେ କଳାହାଣ୍ଡି ଭଳି ଏକ ଅପହଞ୍ଚ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାଧାରଣ ଲୋକନକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ