ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଶ୍ରମିକ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଇ ଅନେକ ନିର୍ଯାତିତ ହେବାର ଖବର ସଦାସର୍ବଦା ନଜରକୁ ଆସୁଥିବା ବେଳେ ପୁଣି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶ୍ରମିକ ନିର୍ଯାତିତ ହୋଇ ନିଜ ଘରକୁ ଫେରିଛନ୍ତି । କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୩୫ ଜଣ ଶ୍ରମିକଙ୍କୁ ବହୁ ଦିନ ଧରି ମିଥ୍ୟା ପ୍ରତିଶ୍ରୁତି ଦେଇ ଦଲାଲ ମାନେ ସୁଦୂର ତେଲେଙ୍ଗାନାର କଥାପଲ୍ଲୀକୁ ନେଇ ଖାଇବା ପିଇବାକୁ ନଦେଇ ବିଭିନ୍ନ ଶାରୀରିକ ନିର୍ଯ୍ୟାତନା ଦେଇ ବନ୍ଦୀ କରି ରଖିଥିଲେ । ତାଙ୍କଠାରୁ କାର୍ଯ୍ୟ ହାସଲ କରି ବ୍ୟବସାୟ କରୁଥିଲେ ଏବଂ ମୋଟା ଅଙ୍କ ରୋଜଗାର କରୁଥିଲେ ।
ଶୋଷଣ ସହିନପାରି ଶେଷରେ ଶ୍ରମିକ ମାନେ ହତାଶ ହୋଇ ସ୍ଥାନୀୟ ସମାଜସେବୀ ସାଉଲ ମଙ୍ଗରାଜଙ୍କୁ ଫୋନ ଯୋଗେ ଜଣାଇଥିଲେ । ପରେ ସମାଜସେବୀ ସାଉଲ ମଙ୍ଗରାଜ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ବନ୍ଧା ପଡ଼ିଥିବା ନିର୍ଯାତିତ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେମାନଙ୍କୁ କଳାହାଣ୍ଡି ଜିଲ୍ଲାର ଉଦେପୁର, ଗୋତୋମୁଣ୍ଡା, ସମେତ ନୂଆପଡା ଜିଲ୍ଲାର ସୁନାରୀସିକୁଆଁ, କିରକିଟା ସମେତ ଜିଲ୍ଲାର ବିଭିନ୍ନ ଜାଗାରୁ ନିଆଯାଇଥିବା ଶ୍ରମିକ ମାନଙ୍କୁ ନିଜ ନିଜ ଗାଁ ପର୍ଯ୍ୟନ୍ତ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ