କଳାହାଣ୍ଡି: ଅଶୁଭ ସୋମବାର । ବିନା କାରଣରେ ଲିଭିଗଲା ତିନି ଜଣଙ୍କ ଜୀବନ ଦୀପ । ଏଭଳି ଅଭାବନୀୟ ଘଟଣା ଘଟିଛି ଜୁନାଗଡ଼ ଥାନା ଅଞ୍ଚଳରେ । ଡାକ୍ତରଖାନା ଯାଉଥିବାବେଳେ ବାଟରେ ଭାରସାମ୍ୟ ହରାଇ ବାଇକରୁ ପଡି ୨ କକା, ପୁତୁରାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଉଭୟ କାକା ଓ ପୁତୁରା ଭବାନୀପାଟଣା ମେଡ଼ିକାଲକୁ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଯାଉଥିଲେ । ଡୁମେରବାହାଲ ଛକ ନିକଟରେ ଭାରସମ୍ୟ ହରାଇ ଉଭୟ ବାଇକରୁ ପଡିଯାଇଥିଲେ ।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ହେଲେ ସନ୍ୟାସୀକୁଣ୍ଡାମାଲ ଗାଁର କକାଙ୍କ ଚନ୍ଦ୍ରଧ୍ଵଜ ନାଏକ ଓ ପୁତୁରାଙ୍କ ଡମ୍ବରୁଧର ନାଏକ ବୋଲି ଜଣାପଡିଛି । ଏହି ଖବର ପ୍ରଚାର ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସେପଟେ କୋକସରା ଥାନା ଅନ୍ତର୍ଗତ ମୂଷାପାଲି ଗାଁ ପୋଖରୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୂଷାପାଲି ଗାଁର ବିଷ୍ଣୁପ୍ରିୟା ପଣ୍ଡା ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ, କୌଣସି କାରଣରୁ ପାଣିରେ ବୁଡି ଯାଇଥିଲେ । ପରେ ପୋଖରୀରେ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ଭାସୁଥିବା ମୃତଦେହ ଉଦ୍ଧାର କରିଥିଲା ।
ଇଟିଭି ଭାରତ, କଳାହାଣ୍ଡି