ଝାରସୁଗୁଡା: ସଲାମ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ଗଢିବା ଲାଗି ନିଜ ଜୀବନକୁ ବାଜି ଲଗାଇ ଆସୁଛନ୍ତି ବିଦ୍ୟାଳୟ । ଗତକାଲି(ଗୁରୁବାର) ଢେଙ୍କାନାଳରେ ଜଣେ ଶିକ୍ଷୟିତ୍ରୀ ନଦୀରେ ବେକେ ପାଣିରେ ପଶି ଆସୁଥିବାର ଦୃଶ୍ୟ ଭାଇରାଲ ହେବା ପରେ ଖବରର ଶିରୋନାମା ପାଲଟିଥିଲା । ସେହିପରି ଆଜି ଝାରସୁଗୁଡାରେ ସେପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଲକ୍ଷନପୁର ବ୍ଲକ ଦେବଦରହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନାଳ ପାର ହୋଇ ସବୁଦିନେ ବିଦ୍ୟାଳୟକୁ ଆସୁଛନ୍ତି । କେବଳ ଶିକ୍ଷକ ନୁହଁନ୍ତି ଛାତ୍ରମାନେ ମଧ୍ୟ ନିତି ଏପରି ଭାବେ ବିଦ୍ୟାଳୟକୁ ଯିବା ଆସିବା କରୁଛନ୍ତି ।
ଶିଳ୍ପ ସମୃଦ୍ଧ ସହ ଖଣି ଖାଦାନ ଜିଲ୍ଲା ଝାରସୁଗୁଡା । ଏହି ଜିଲ୍ଲାର ପ୍ରାୟ ସମସ୍ତ ଗାଁକୁ ସବୁଦିନିଆ ରାସ୍ତା ଥିବାବେଳେ ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯେଉଁଠି ଯିବାଆସିବା ପାଇଁ ରାସ୍ତାର ସୁବିଧା ନାହିଁ । ପାଣି ଭରା ନାଳ, ଅଣ୍ଟେ ଉପରେ ପାଣି, ଆଉ ପାଣି ଭିତରେ ପାଦେ ପାଦେ ବିପଦ । ଗୋଡ ଟିକେ ଖସିଗଲେ ଜୀବନ ଯିବାର ଭୟ । ଆଉ ନଦୀ ପାର ହେଲେ କାଦୁଅ ପଚପଚ ରାସ୍ତା । ଏପରି ରାସ୍ତା ରହିଛି ଲକ୍ଷନପୁର ବ୍ଲକ ଦେବଦରହ ଗାଁରେ ।
ଦେବଦରହ ଗାଁରେ ପ୍ରାୟ 60ରୁ ଅଧିକ ପରିବାର ବସବାସ କରୁଛନ୍ତି । ଏହି ଗାଁକୁ ଯିବା ବାଟରେ ପଡିଥାଏ ଚିରସ୍ରୋତା ଅହିରାନାଳ । ଏହି ନାଳ ଉପରେ ସେତୁ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ଅହିରାନାଳାରେ ଏବେ ଅଣ୍ଟାଏରୁ ଅଧିକ ପାଣି ଯାଉଥିବାରୁ ଗ୍ରାମବାସୀଙ୍କ ପାଇଁ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି । ଦେବଦରହ ଗାଁରେ ତିନିପଟେ ନାଳ ବହୁଥିବାବେଳେ ଗୋଟିଏ ପଟେ ଘଞ୍ଚ ଜଙ୍ଗଲ । ନାଳରେ ଏବେ ପାଣି ଭର୍ତି ଥିବା ଯୋଗୁଁ ପିଲାମାନେ ପାଠ ପଢିବାକୁ ଯିବାକୁ ହଇରାଣ ହେଉଥିବାବେଳେ ଶିକ୍ଷକ ମଧ୍ୟ ଅଣ୍ଟାଏ ପାଣିରେ ପଶି ନିତି ଯିବାଆସିବା କରୁଛନ୍ତି ।
ସେହି ନାଳ ଲାଗି ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଡାକ୍ତରଖାନା ନେବାପାଇଁ ଆସୁଥିବା ଆମ୍ବୁଲାନ୍ସ ଅଧବାଟରେ ରହିଯାଏ । ଶେଷରେ ଆରମ୍ଭ ହୁଏ ଖଟିଆ ବୁହା ଅଭିଯାନ । ତେବେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଅଭିଶପ୍ତ ଗାଁ କେବେ ସୁଧୁରୁଛି ତାହା ଦେଖିବାର କଥା ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ