ଝାରସୁଗୁଡ଼ା: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ଦ୍ବାରା ବରଗଡ଼ର ଅଶୁରଗଡ଼ ଠାରେ ହୋଇଥିବା ଖନନ ଦ୍ବାରା ୨ହଜାର ବର୍ଷ ପୁରୁଣା କଳାକୃତି ପ୍ରାପ୍ତ ହୋଇଛି । ତେବେ ପଶ୍ଚିମ ଓଡ଼ିଶାରେ ଏଭଳି ଅନେକ ଐତିହାସିକ ସ୍ଥାନ ରହିଛି । ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇ ଏହାର ଉଦ୍ଧାର କରିବା ଆବଶ୍ୟକ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।
ଗତ ମେ ୩୧ତାରିଖରୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ୬୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଦ୍ବାରା ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଅଶୁରଗଡ଼ ଠାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ଗତ ଜୁନ ୧୨ ତାରିଖରେ ଶେଷ ହୋଇଥିବା ବେଳେ ଏଠାରୁ ବହୁ ମାତ୍ରାରେ କଳାକୃତି ପ୍ରାପ୍ତ ହୋଇଥିଲା । ଖନନରୁ ମିଳିଥିବା ଅଞ୍ଚଳ ୧୭ହେକ୍ଟର ରୁ ଅଧିକ କ୍ଷେତ୍ରଫଳ ଯାଏ ବିସ୍ତୃତ ରହିଥିବା ଜଣାପଡିଛି । ତେବେ ଝାରସୁଗୁଡ଼ାରେ ମଧ୍ୟ ଏଭଳି ସ୍ଥାନ ରହିଛି, ଯେଉଁଠି ଖନନ ହେଲେ ଅନେକ କଳାକୃତି ମିଳିବ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି । ଏଗୁଡ଼ିକର ଉଦ୍ଧାର ଏବଂ ସଂରକ୍ଷଣ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଦୃଷ୍ଟି ଦେବାର ଆବଶ୍ୟକ ରହିଛି ବୋଲି ସେ ମତ ରଖିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡ଼ା