ଝାରସୁଗୁଡା: ବୟସ ମାତ୍ର 6 ବର୍ଷ । ୟୁକେଜିରେ ପାଠ ପଢନ୍ତି । ହେଲେ ଏତେ କମ ବୟସରୁ ଯୋଗ ଏବଂ ନୃତ୍ୟରେ ପାରଙ୍ଗମ ହୋଇପାରିଛନ୍ତି ମନାଲି ବେରା । ଜାତୀୟ ଯୋଗ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିବା ସହ ଜାତୀୟ ସ୍ତରୀୟ ୧୦୧ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ମନାଲି ।
ତୁଳସୀ ଦୁଇ ପତ୍ରରୁ ବାସିବା ପରି ମନାଲିଙ୍କ ଅନ୍ତଃନିହିତ କଳା ମାତ୍ର ୬ ବର୍ଷରୁ ପ୍ରସ୍ପୁଟିତ ହୋଇଛି । ତେବେ ଝାରସୁଗୁଡା ଟାଉନସିପରେ ରହୁଥିବା ଅଭିଜିତ ବେରା ଓ ପରୋମା ସାମନ୍ତ ବେରାଙ୍କ ଝିଅ ହେଉଛନ୍ତି ମନାଲି ବେରା । ମନାଲି କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର ୬ ବର୍ଷ ବୟସରେ ନୃତ୍ୟ ଏବଂ ଯୋଗରେ ପାରଙ୍ଗମ ହୋଇ ସାରିଲେଣି । ଯେଉଁ ବୟସରେ ଛୋଟ ଛୁଆମାନେ ଟିଭି ସମ୍ମୁଖରେ ବସି କାଟୁନ ଦେଖିଥାନ୍ତି ସେହି ବୟସରେ ମନାଲି ଆଡଭାନ୍ସ ଯୋଗ ଏବଂ ଆଧୁନିକ ନୃତ୍ୟରେ ପାରଙ୍ଗମ ହାସଲ କରିପାରିଛନ୍ତି ।
ମନାଲି ପ୍ରତିଦିନ ସକାଳ ୬ ଟାରୁ ଶଯ୍ୟା ତ୍ୟାଗ କରି ଯୋଗ ଓ ନୃତ୍ୟ ଅଭ୍ୟାସ କରନ୍ତି । ସେ ପ୍ରଥମେ ନୃତ୍ୟରେ ରୁଚି ରଖିଥିଲେ । ଫଳରେ ତାଙ୍କର ବାପା ମାଆ ତାଙ୍କୁ ଝାରସୁଗୁଡାର ଜେକ୍ ଏକାଡେମୀରେ ନୃତ୍ୟ ପ୍ରଶିକ୍ଷଣ ପାଇଁ ନାମ ଲେଖାଇଥିଲେ । ତେବେ ନୃତ୍ୟକୁ ଶାଣିତ କରିବା ପାଇଁ ଯୋଗର ଆବଶ୍ୟକତା ରହିଥିବା ଅନୁଭବ କରି ଦୁଇ ଜଣ ଯୋଗ ଶିକ୍ଷକଙ୍କ ଠାରୁ ମନାଲିଙ୍କ ଯୋଗାଭ୍ୟାସ ମଧ୍ୟ କରାଉଛନ୍ତି ।
ଛୋଟ ପିଲାଟିଏ ହୋଇଥିଲେ ହେଁ ବାପା ମାଆ ତଥା ଗୁରୁଙ୍କ ପରିଶ୍ରମକୁ ବ୍ୟର୍ଥ ହେବାକୁ ଦେଇ ନାହାନ୍ତି ମନାଲି । ମାତ୍ର ୬ ମାସ ଯୋଗ ଶିକ୍ଷା ଗ୍ରହଣ କରି ଜାତୀୟସ୍ତରରେ ଦୁଇଟି ପ୍ରତିଯୋଗିତାରେ ନିଜର ସାମର୍ଥ୍ୟ ଦେଖାଇ ସାରିଛନ୍ତି । ମନାଲିଙ୍କ ନୃତ୍ୟ ଏବଂ ଯୋଗରେ ପାରଙ୍ଗମତା ପାଇଁ ତାଙ୍କ ବାପା ମାଆ ଗର୍ବ ଅନୁଭବ କରିବା ସହ ସମସ୍ତ ଶ୍ରେୟ ମନାଲିଙ୍କ ପରିଶ୍ରମ ଓ ଗୁରୁମାନଙ୍କୁ ଦେଇଛନ୍ତି ।
ସେହିପରି ଏତେ କମ ବୟସରୁ ବିଚକ୍ଷଣ ଯୋଗ ଏବଂ ନୃତ୍ୟ କରି ପାରୁଥିବା ମନାଲି ଆଗାମୀ ଦିନରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନାଁ କରିବେ ବୋଲି ତାଙ୍କ ଗୁରୁମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ବଡ ହୋଇ ଯୋଗ ଷ୍ଟାର ହେବେ ବୋଲି ମନାଲି କହିଛନ୍ତି । ତେବେ ସ୍ବପ୍ନ ସାକାର ପାଇଁ ବୟସ କେବେ ବାଧକ ନୁହେଁ । ଇଚ୍ଛା ଆଉ ମନୋବଳ ଥିଲେ ନିଶ୍ଚୟ ସାକାର ହେବ । ପିଲାଟି ବେଳୁ ଅନ୍ତର୍ନିହିତ ପ୍ରତିଭାର ବିକାଶ କରାଇପାରିଲେ ସଫଳତା ପଦସ୍ପର୍ଶ କରିବ ବୋଲି ମନାଲି ପ୍ରମାଣିତ କରିପାରିଛନ୍ତି ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ