ଝାରସୁଗୁଡା: ବର୍ଷବର୍ଷ ଧରି ଶିକ୍ଷାଗତ ଯୋଗ୍ୟତା ନଥାଇ ଶିଶୁ ରୋଗ ଚିକିତ୍ସକ ସାଜି ବିଚ୍ ବଜାର ଉପରେ ଲୋକଙ୍କୁ ଠକି ଚାଲିଥିବା ଜଣେ ନକଲି ଡାକ୍ତରକୁ ଗିରଫ କଲା ବେଲପାହାଡ ପୋଲିସ । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ସହରରେ ରହିଥିବା ଏକ ଔଷଧ ଦୋକାନରେ ଦୀର୍ଘଦିନରୁ ନିଜକୁ ଶିଶୁରୋଗ ବିଶେଷଜ୍ଞ ବୋଲାଉଥିବା ନକଲି ଡାକ୍ତର ଆର.କେ.ସାହୁ ଶେଷରେ ପୋଲିସ ହାବୁଡରେ ପଡିଛି ।
ସହରର ବିଚ୍ ବଜାର ଉପରେ ବଡ ବଡ ହୋର୍ଡିଂରେ ନିଜକୁ ଚିକିତ୍ସକ ଭାବେ ଦର୍ଶାଇ କରି ଚାଲିଥିଲା ରୋଗୀସେବା । ତାହା ପୁଣି ଛୋଟ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିଲେ ଡାକ୍ତର ବାବୁ । ଦୁଇଦିନ ତଳେ କୋଭିଡ ନିୟମ ଭଙ୍ଗ କରୁଥିବା ଦୋକାନୀଙ୍କ ଉପରେ କଡା ନଜର ରଖିଥିବା ବେଲପାହଡ ପୋଲିସ ହଠାତ୍ ଦୁଇଟି ଔଷଧ ଦୋକାନରେ ଚଢାଉ କରିଥିଲା । ସେଠାରେ ବସୁଥିବା ଡାକ୍ତରଙ୍କ ଉପରେ ସନ୍ଦେହ ପ୍ରକଟ କରି ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ନିଜ ସାର୍ଟିଫିକେଟ ଯାଞ୍ଚ ପାଇଁ ପ୍ରଶାସନକୁ ସହଯୋଗ କରିଥିଲା ବେଳେ ଡାକ୍ତର ଆର.କେ.ସାହୁ ସହଯୋଗ କରି ନଥିଲେ ।
ଠକ ଡାକ୍ତର ତଦନ୍ତ ସମୟରେ ବାଧ୍ୟ ହୋଇ ନିଜେ ଡାକ୍ତରୀ ପାଠ ପଢିନଥିବା ଓ ଯୁକ୍ତ ଦୁଇ ଫେଲ ହୋଇଥିବା ସ୍ୱୀକାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶନିବାର ଦିନ ବେଲପାହଡ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି(ରବିବାର) ବେଲପାହାଡ ପୋଲିସ ସମ୍ପୃକ୍ତ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେ ବସୁଥିବା ଔଷଧ ଦୋକାନକୁ ସିଲ କରିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ